ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନିଷ୍ପତି ନେବାର ଦକ୍ଷତା ବୃଦ୍ଧି ହେବା ଉଚିତ୍‌: ଗ୍ରିଡ୍‌କୋ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୧/୧୦: କଲେଜରେ ପଢ଼ିବା ସମୟରୁ ହିଁ ମ୍ୟାନେଜମେଂଟ ଛାତ୍ରଛାତ୍ରୀମାନେ ଉପଲବ୍ଧ ସମ୍ବଳର ଉପଯୁକ୍ତ ପରିଚାଳନାର ଉପାୟର ଶିକ୍ଷା ଗ୍ରହଣ କରିବା ସହ ଆତ୍ମବିଶ୍ୱାସ ଏବଂ ନିଷ୍ପତି ନେବାର ଦକ୍ଷତା ବୃଦ୍ଧି କରିବା ଉଚିତ୍ ବୋଲି ବୁଧବାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମ୍‌ିଟେଡ୍ (ଗ୍ରିଡ୍‌କୋ) ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଗଗନ ବିହାରୀ ସ୍ୱାଇଁ କହିଛନ୍ତି ।

ଶିକ୍ଷା ଗ୍ରହଣ ସମୟରୁ ହିଁ ନିଜ ମଧ୍ୟରେ ବୃଦ୍ଧି ପାଇଥିବା ଆତ୍ମବିଶ୍ୱାସ ଓ ଦକ୍ଷତା ହିଁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ସ୍ୱାଇଁ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ସାଇନ୍ସ (ଆଇବିସିଏସ୍‌) ଅଧିନସ୍ଥ ବିବିଏ ଏବଂ ଇନ୍‌ଟିଗ୍ରେଟେଡ୍ ଏମ୍‌ବିଏର ନୂତନ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍‌ରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସ୍ୱାଇଁ ।

ଏହି ଅବସରରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏକ ଅନୁଷ୍ଠାନରେ ମ୍ୟାନେଜରଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ନୂତନ ଛାତ୍ରଛାତ୍ରୀମାନେ ଜଣେ ଜଣେ ସଫଳ ମ୍ୟାନେଜର ହେବା କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି)ର ଆଡିସ୍‌ନାଲ୍ ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଶ୍ରୀ ସିତାଂଶୁ ରଥ ନିଜ ଅନୁଭୂତି ବଖାଣି କହିଥିଲେ ଯେ ବର୍ତମାନ ପରିବର୍ତନଶୀଳ ପରିସ୍ଥିତିକୁ ଦେଖି ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ଉଚିତ୍ ।

ସେହିପରି ଡିସିବି ବ୍ୟାଙ୍କର ମୁଖ୍ୟ (ମାନବ ସମ୍ବଳ) ଶ୍ରୀ ସୌରଭ ଅଗ୍ରୱାଲ ନେଟୱାର୍କିଂ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେବା ସହ ନୂତନ ସଂସ୍କୃତିକୁ ଆପଣାଇବା ଉଚିତ୍ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜ ଚିନ୍ତାଧାରାକୁ ବିସ୍ତୃତ କରିବା ସହ ସମସ୍ୟାର ସମାଧାନର ବାଟ ଖୋଜିବା ଦିଗରେ ମନୋନିବେଶ କରିବା ନେଇ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଏକାଡେମିକ କୋର୍ଡିନେଟଅର୍ (ବିବିଏ ପ୍ରୋଗ୍ରାମ୍‌) ପ୍ରଫେସର ଏ.କେ. ମହାନ୍ତି ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.