ବାଲିଯାତ୍ରାର ବ୍ୟବସାୟୀକରଣ ବିରୋଧରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

କଟକ, ୨୧/୧୦ ଓଡିଆ ଜାତିର ଐତିହ୍ୟ ଏବଂ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ବାଲିଯାତ୍ରା କାହିଁ କେଉଁ କାଳରୁ କଟକରେ ପାରମ୍ପରିକ ଭାବରେ ମହା ସମାରୋହରେ ପାଳିତ ହୋଇଆସୁଛି । ମାତ୍ର ଏବେ ଏହାର ବ୍ୟବସାୟୀକରଣ କରାଯାଇ ପ୍ଲଟ୍ ନିଲାମ କରାଯିବା ଦ୍ୱାରା କେବଳ ବଡ ବଡ କର୍ପୋରେଟ୍ ହାଉସମାନଙ୍କର ସ୍ୱାର୍ଥ ସିଦ୍ଧି ହେବ । ଏନେଇ ସହରବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ନିଲାମକୁ ବିରୋଧ କରି ସଚେତନ ନାଗରିକ ମହାସଭାର ଆବାହକ ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଟକିଆ ଏବଂ ଛୋଟ ଛୋଟ ବେପାରୀମାନେ ଏଥିପାଇଁ କ୍ଷତିଗ୍ରସ୍ତ ହେବାର ଅଭିଯୋଗ କରି ଏହି ନିଲାମ ପ୍ରକ୍ରିୟାକୁ ବନ୍ଦ କରି ପୁରୁଣା ବ୍ୟବସ୍ଥାକୁ ଲାଗୁ କରିବାକୁ ସେ ଦୃଢ ଦାବି ଜଣାଇଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏହି ସ୍ମାରକପତ୍ର ଗ୍ରହଣ କରିଥିଲା ବେଳେ ଗରିବ ଉଠାଦୋକାନୀଙ୍କୁ ସ୍ୱଳ୍ପ ମୂଲ୍ୟରେ କିମ୍ବା ମାଗଣାରେ ଦୋକାନ କରାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ କୁମାର ନାୟକ, ଦେବ ନାଥ, ସବିତା ନାୟକ, କୁନି ନାୟକ ପ୍ରମୁଖଙ୍କ ସମେତ ବହୁ ପୁରୁଷ ଓ ମହିଳା ସାମିଲ ଥିଲେ ।

Leave A Reply

Your email address will not be published.