xmas

୨୦୨୩ ଶେଷ ସୁଦ୍ଧା ରାଜ୍ୟର ପ୍ରଥମ ସୋଲାର ଟାଉନ୍ ହେବ ଅର୍କକ୍ଷେତ୍ର

ଭୁବନେଶ୍ୱର: ସୌରଶକ୍ତିରୁ ଆଲୋକିତ ହେବ କୋଣାର୍କ ଟାଉନ୍। ଅର୍କକ୍ଷେତ୍ର ହେବ ରାଜ୍ୟର ପ୍ରଥମ ସୋଲାର ସିଟି। ଏଥିଲାଗି ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ। ପ୍ରାୟ ୪୫ କୋଟି ଟଙ୍କା ପୁଞ୍ଜିନିବେଶରେ କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାଓ୍ୱାଟର ସୌର ପ୍ରକଳ୍ପ। ୨୫ ବର୍ଷ ଲାଗି ଗ୍ରୀଡ୍‌ରୁ ଏହି ପ୍ରକଳ୍ପରୁ ସୌରଶକ୍ତି କିଣାଯିବ। ଯାହାକି କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପରେ ବ୍ୟବହାର ହେବ।

ଗୁଜରାଟ ମୋଢେରା ଭଳି ସୋଲାର ସହରରେ ପରିଣତ ହେବ କୋଣାର୍କ। କୋଣାର୍କ ଏନଏସି ସମେତ ସୂର୍ଯ୍ୟ ମନ୍ଦିର ସୌରଶକ୍ତି ଅଲୋକରେ ଅଲୋକିତ ହେବ। ଟ୍ୱିଟ୍ କରି ଏହି ସୂଚନା ଦେଇଛି ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା-ଗ୍ରୀଡ୍‌କୋ।

କେନ୍ଦ୍ର ସରକାରଙ୍କ MNRI ସ୍କିମ୍ ଅନ୍ତର୍ଗତ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ ନାମକ କନ୍ସୋର୍ଟିୟମ। ଏଠାରୁ ଉତ୍ପାଦନ ହେବାକୁ ଥିବା ସୌରଶକ୍ତି ଷ୍ଟେଟ୍ ଗ୍ରୀଡ୍ ସହ ଯୋଡ଼ିହେବ, ଯାହାକି କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପ ପାଇଁ ବ୍ୟବହାର ହେବ। ଏଥିପାଇଁ ନିକଟରେ ଗ୍ରୀଡ୍‌କୋ ସହ ଶକ୍ତି କ୍ରୟ ଚୁକ୍ତି- ପିପିଏ ସ୍ୱାକ୍ଷର କରିଛି କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍।

ଚୁକ୍ତି ଅନୁସାରେ, କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୨୫ ବର୍ଷ ଲାଗି ସୌରଶକ୍ତି କିଣିବ ଗ୍ରୀଡ୍‌କୋ। ସୌରଶକ୍ତି କିଲୋଓ୍ୱାଟ୍ ପିଛା ୨ ଟଙ୍କା ୭୭ ପଇସା ଦେବ। ଏହି ପ୍ରକଳ୍ପରେ ୪୦ରୁ ୪୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ କେଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ କନ୍ସୋର୍ଟିୟମର। ଏହାର ନିର୍ଦ୍ଦେଶକ ଚଚନ୍ଦ୍ରଶେଖର ମିଶ୍ରଙ୍କ ସୂଚନା ଅନୁସାରେ, କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନା ଥାଉକି, ସୂର୍ଯ୍ୟଦେବଙ୍କ ଉପାସନାସ୍ଥଳ କୋଣାର୍କ ମନ୍ଦିର ସହ ସ୍ଥାନୀୟ କୋଣାର୍କ ଅଞ୍ଚଳକୁ ସୋଲାର ସିଟି କରାଯିବ ବୋଲି ଘୋଷଣା କରିଥିଲେ କେନ୍ଦ୍ର ସରକାର। ଦେଶର ଅନ୍ୟତମ ପ୍ରାଚୀନ ସୂର୍ଯ୍ୟ ଉପାସନା ପୀଠ ଗୁଜରାଟ ମୋଢେରାକୁ ସଂପୂର୍ଣ୍ଣ ସୌରଶକ୍ତି ବ୍ୟବହାର ଉପଯୋଗୀ କରାଯାଇଛି। ସମ୍ପୂର୍ଣ୍ଣ ସୌରଶକ୍ତି ବ୍ୟବହାର ଓ ନିର୍ଭରଶୀଳ ହେବାରେ ଏହା ଦେଶର ପ୍ରଥମ ଗାଁ। ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। ସୌରପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଏଠାରେ ଥିବା ସୂର୍ଯ୍ୟ ମନ୍ଦିର ମଧ୍ୟ ରଙ୍ଗବେରଙ୍ଗରେ ଆଲୋକରେ ଉଦ୍ଭାସିତ ହେଉଛି।

Leave A Reply

Your email address will not be published.