ବିସିସିଆଇର ଐତିହାସିକ ଘୋଷଣା । ଭାରତୀୟ କ୍ରିକେଟରେ ଶେଷ ହେଲା ଭେଦଭ!

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟରଙ୍କ ପାଇଁ ବଡ଼ ଘୋଷଣା କରିଛି ବିସିସିଆଇ । ଏଣିକି ପୁରୁଷ ଓ ମହିଳା ଖେଳାଳୀଙ୍କୁ ମିଳିବ ସମାନ ପ୍ରାପ୍ୟ । ଅର୍ଥାତ୍ ଗୋଟିଏ ମ୍ୟାଚ୍ ପାଇଁ ପୁରୁଷ ଖେଳାଳି ଯେତେ ଟଙ୍କା ପାଉଥିଲେ, ଏବେ ମହିଳା ଖେଳାଳିଙ୍କୁ ମଧ୍ୟ ସେତିକି ଟଙ୍କା ମିଳିବ । ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ବଡ଼ ଘୋଷଣା କରିଛନ୍ତି । ଜୟ ଶାହ ଟ୍ୱିଟ୍ କରି ଲେଖିଛନ୍ତି, ଭାରତୀୟ କ୍ରିକେଟରେ ପକ୍ଷପାତିତା ଦୂର କରିବା ପାଇଁ ବିସିସିଆଇ ଏହି ଐତିହାସିକ ପଦକ୍ଷେପ ଉଠାଇଛି । ଚୁକ୍ତିପ୍ରାପ୍ତ ମହିଳାଙ୍କ ପାଇଁ ସମାନ ମ୍ୟାଚ୍ ଫି’ ନୀତି ଲାଗୁ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ଏଣିକି ଭାରତୀୟ କ୍ରିକେଟରେ ଲିଙ୍ଗଗତ ସମାନତାର ନୂଆ ଯୁଗରେ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି’ ପ୍ରଦାନ କରାଯିବ ।

ବିସିସିଆଇର ବଡ ନିଷ୍ପତ୍ତି
– ପୁରୁଷ ଏବଂ ମହିଳା କ୍ରିକେଟର ପାଇବେ ସମାନ ମ୍ୟାଚ୍ ଫି
– ଟେଷ୍ଟ ମ୍ୟାଚ୍ ପିଛା ମିଳିବ ୧୫ ଲକ୍ଷ ଟଙ୍କା
– ଦିନିକିଆ ପିଛା ୬ ଲକ୍ଷ ଟଙ୍କା ମିଳିବ
– ଟି-୨୦ ମ୍ୟାଚ୍ ପିଛା ୩ ଲକ୍ଷ ଟଙ୍କା ମିଳିବ
– ପୂର୍ବରୁ ଟେଷ୍ଟ ମ୍ୟାଚ୍ ଫି’ ୪ଲକ୍ଷ ଟଙ୍କା ଥିଲା
– ଦିନିକିଆ ମ୍ୟାଚ୍ ପାଇଁ ୨ଲକ୍ଷ ଥିଲା
– ଟି -୨୦ ମ୍ୟାଚ୍ ପାଇଁ ଅଢ଼େଇ ଲକ୍ଷ ଦିଆଯାଉଥିଲା

ମହିଳା ଓ ପୁରୁଷ କ୍ରିକେଟରଙ୍କ ଦରମା କାହିଁକି ଅଲଗା, ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇ ଆସୁଛି । ଏହି ମାମଲାକୁ କିଛି ବୋର୍ଡ ସମାଧାନ କରିବାକୁ ପ୍ରୟାସ କରିଛନ୍ତି ଏବଂ କିଛି ମଧ୍ୟ ଏବେବି କାର୍ଯ୍ୟକାରୀ କରୁଛନ୍ତି । ସର୍ବପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଏହି ବ୍ୟବଧାନକୁ ଦୂର କରିବାକୁ ପ୍ରୟାସ କରିଥିଲା । ତିନିମାସ ତଳେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ଘୋଷଣା କରିଥିଲା ଯେ ସେମାନଙ୍କର ମହିଳା ଓ ପୁରୁଷ କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି’ ମିଳିବ । ଏହି ନୂଆ ଘୋଷଣା ପରେ ନ୍ୟୁଜିଲ୍ୟାଣ୍ଡର ପୁରୁଷ ଏବଂ ମହିଳା କ୍ରିକେଟରଙ୍କୁ ମ୍ୟାଚ୍ ଫି’ ବାବଦରେ ୧୦ହଜାର ୨୫୦ ନ୍ୟୁଜିଲ୍ୟାଣ୍ଡ ଡଲାର ଦିଆଯିବ । ଦିନିକିଆ ପାଇଁ ୪ହଜାର ନ୍ୟୁଜିଲ୍ୟାଣ୍ଡ ଡଲାର ଏବଂ ଟି-୨୦ ପାଇଁ ୨୫୦୦ ନ୍ୟୁଜିଲ୍ୟାଣ୍ଡ ଡଲାର ଦିଆଯିବ । ସେହିପରି ପାକିସ୍ତାନ ତା’ର ମହିଳା କ୍ରିକେଟରଙ୍କ ଦରମା ବୃଦ୍ଧି କରିଥିଲା । ନିକଟରେ କେନ୍ଦ୍ରୀୟ ଚୁକ୍ତିରେ ମହିଳା କ୍ରିକେଟରଙ୍କ ପାଉଣା ୧୫ ପ୍ରତିଶତ ବଢ଼ାଇ ଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏହାସହ ବୋର୍ଡ ନିକଟରେ ୧୫ ବିଲିୟନର ବଜେଟକୁ ଅନୁମୋଦନ ମଧ୍ୟ ଦେଇଥିଲା । ସେହିପରି ପିସିବି ପୁରୁଷ କ୍ରିକେଟରଙ୍କ ଦରମା ୧୦ ପ୍ରତିଶତ ବଢ଼ାଇଥିଲା । ଅଷ୍ଟ୍ରେଲିଆ ମଧ୍ୟ ମହିଳା କ୍ରିକେଟରଙ୍କ ବଜେଟ୍ ୭.୫ ମିଲିୟନ ଡଲାରରୁ ୫୫.୨ ମିଲିୟନ ଡଲାରକୁ ବୃଦ୍ଧି କରିଥିଲା ।

ପାଉଣା ସମାନ କରିବା ପାଇଁ ସ୍ମୃତି ମନ୍ଦାନା, ହରମାନପ୍ରୀତ କୌର, ମିତାଲି ରାଜଙ୍କ ପରି ବଡ଼ ମହିଳା କ୍ରିକେଟର ଦୀର୍ଘଦିନ ଧରି ଦାବି କରିଆସୁଥିଲେ । ବିଳମ୍ବରେ ହେଲେ ମଧ୍ୟ ବିସିସିଆଇ ଏହି ଦାବିକୁ ଗୁରୁତ୍ୱ ଦେଇ ବଡ଼ ପଦକ୍ଷେପ ନେଇଛି । ନିକଟରେ ମହିଳା ଆଇପିଏଲ କଥା ମଧ୍ୟ ଘୋଷଣା କରିଛି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ଼ ।

Leave A Reply

Your email address will not be published.