ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ରୂପେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର : ପୂର୍ବତନ ନବରଙ୍ଗପୁର ସାଂସଦ, ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମାନ୍ୟବର ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ମାନ୍ୟବର କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାନ୍ୟବର ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟସ୍ତରୀୟ ପ୍ରଶାସନିକ ସଂସ୍ଥାନର ସଚିବ ସୁମିତା ଦାସ, ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଦୀପ ମାଝୀ ଏ ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏ ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଦୀପ ମାଝୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ କଳା, ସଂସ୍କୃତି, ଓ ଜୀବନ ଜୀବିକାକୁ ପାଥେୟ କରି ଆଦିବାସୀ ଭାଇ ଓ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ପାଇଁ ନିଜର ଚେଷ୍ଟା ଜାରି ରଖିବ । ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ କାର‌୍ୟ୍ୟକର୍ତ୍ତାଙ୍କୁ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନହିତରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ ଓ ଦିଗଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ ସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ ଓ ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ଜଣେଇଥିଲେ । ଏହି ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୯ଟି ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ଉପସ୍ଥିତ ରହି ଆଦିବାସୀ ମାନଙ୍କ ବିକାଶରେ ନିଜକୁ ନିୟୋଜିତ କରିବାକୁ ପ୍ରତିବଦ୍ଧତା ଜାହିର କରିଥିଲେ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ – ଡ଼ଃ ଦେବାଶିଷ ମାରାଣ୍ଡି (ଅଧ୍ୟକ୍ଷ, ମୟୁରଭଞ୍ଜ), ଲକ୍ଷ୍ମୀ ନାୟକ (ଅଧ୍ୟକ୍ଷ, କେନ୍ଦୁଝର), ଆଦମା ରବା (ଅଧ୍ୟକ୍ଷ, ମାଲକାନଗିରି), ଚନ୍ଦ୍ରଶେଖର ମାଝି (ଅଧ୍ୟକ୍ଷ, କୋରାପୁଟ), ଉପେନ୍ଦ୍ର ଗଣ୍ଡ (ଅଧ୍ୟକ୍ଷ, ନବରଙ୍ଗପୁର), ଅନୁସୂୟା ମାଝୀ (ଅଧ୍ୟକ୍ଷ, ରାୟଗଡ଼ା), ମରିଅମ ରାଇତୋ (ଅଧ୍ୟକ୍ଷ, ଗଜପତି), ରୋଦନ ମଲ୍ଲିକ (ଅଧ୍ୟକ୍ଷ, କନ୍ଧମାଳ) ଓ ବିନୟ ଟୋପୋ (ଅଧ୍ୟକ୍ଷ, ସୁନ୍ଦରଗଡ଼) ତଥା କମଳା ତିରିଆ (ଉପାଧ୍ୟକ୍ଷ, ମୟୁରଭଞ୍ଜ), ନାରାୟଣ ପୂର୍ତ୍ତି (ଉପାଧ୍ୟକ୍ଷ,କେନ୍ଦୁଝର), ରାଇଲା ନାଇକ (ଉପାଧ୍ୟକ୍ଷ, ମାଲକାନଗିରି), ଲକ୍ଷ୍ମୀ ହନ୍ତାଳ (ଉପାଧ୍ୟକ୍ଷ, କୋରାପୁଟ), ଭାନୁମତୀ ପୂଜାରୀ (ଉପାଧ୍ୟକ୍ଷ, ନବରଙ୍ଗପୁର), ବନମାଳୀ କାଡ୍ରାକା (ଉପାଧ୍ୟକ୍ଷ, ରାୟଗଡ଼ା), ଧନେଶ୍ୱର ଭୂୟାଁ (ଉପାଧ୍ୟକ୍ଷ, ଗଜପତି), ନଳିନୀ କହଁର (ଉପାଧ୍ୟକ୍ଷ, କନ୍ଧମାଳ) ଓ ସୁଶୀଳା ଟୋପନୋ (ଉପାଧ୍ୟକ୍ଷ, ସୁନ୍ଦରଗଡ଼)ଙ୍କୁ ସମ୍ମାନିତ କରି ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.