ଲାଲବାହିନୀର ହାତ ଛାଡି ମୁଖ୍ୟ ସ୍ରୋତକୁ ଫେରିଲେ ୪୦୦ରୁ ଉର୍ଦ୍ଧ ମାଓ ସମର୍ଥକ, ମାଓବାଦୀଙ୍କ କୁଶପୁତ୍ତଳିକା କଲେ ଦାହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳରେ ଲାଲଗଡ଼ରୁ ଲାଲବାହିନୀର ହାତ ଛାଡି ମୁଖ୍ୟ ସ୍ରୋତ ଫେରିଛନ୍ତି ୪୦୦ ମାଓ ମିଲିସିଆ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ଲାଉଗୁଡା ଠାରେ ଆଜି ଧୂଳିପୁଟ ପଞ୍ଚାୟତର ପ୍ରାୟ ୪୦୦ ଜଣ ମାଓ ସମର୍ଥକ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରସନ୍ନ ହୋଇ ଓଡିଶା ପୋଲିସ ଓ ବିଏସଏଫ ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସୂଚନା ମୁତାବକ ଦୀର୍ଘ ବର୍ଷ ଧରି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ମାନେ ନାଲି ଆଖି ଦେଖାଇ ଏଠାରେ ଶାସନ କରିଆସୁଥିବା ବେଳେ ଏବେ କିନ୍ତୁ ବଦଳିଛି ସ୍ଥିତି । ରାଜ୍ୟ ସରକାରଙ୍କ ଚେଷ୍ଟା ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଏକାଧିକ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଏସ.ଓ.ଜି, ଡି.ଭି.ଏଫ ଓ ବିଏସଏଫ ର ଯବାନ ମାନଙ୍କ ଦ୍ୱାରା ମିଳିତ ଭାବେ ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନକୁ ଜୋରଦାର କରାଯିବା ସହ ଯବାନ ମାନଙ୍କ କାନ୍ଧରେ କାନ୍ଧ ମିଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ଯାହାକୁ ଲକ୍ଷ କରି ଆଜି ଧୂଳିପୁଟ ପଞ୍ଚାୟତ ର ପ୍ରାୟ ୪୦୦ରୁ ଉର୍ଦ୍ଧ ମିଲିସିଆ ମାଓବାଦୀଙ୍କ ହାତ ଛାଡିମୁଖ୍ୟ ସ୍ରୋତକୁ ଫେରିବା ସହ ମାଓବାଦୀଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି । ତେବେ ଆଗାମୀ ଦିନରେ ସମାଜରେ ବାସ କରୁଥିବା ଅନ୍ୟ ମାନଙ୍କ ଭଳି ଆମେ ମଧ୍ୟ ସରକାରଙ୍କ ସହ ରହିବୁ ବୋଲି କହିଥିବା ବେଳେ ସରକାରଙ୍କ ପକ୍ଷରୁ ଥିବା ସମସ୍ଥ ସୁବିଧା ମଧ୍ୟ ଏମାନଙ୍କୁ ଯୋଗାଇ ଦିଆଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ବିଏସଏଫର ଡିଆଇଜି ଶୈଳେନ୍ଦ୍ର ସିହ୍ନା , ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ମାଲକାନଗିରି ଏସପି ନିତେଶ ୱାଧନିଙ୍କ ଉପସ୍ଥିତ ଥିଲେ।ପ୍ରଥମେ ଗ୍ରାମର ମହିଳା ମାନେ ପଟାମ୍ପରିକ ନୃତ୍ୟ ସଙ୍ଗୀତ ମାଧ୍ୟମରେ ଅତିଥିମାନଙ୍କୁ ପାଛୋଟି ନେଇଥିଲେ। ଆତ୍ମସମର୍ପଣ କାରୀ ଓ ଗ୍ରାମବାସୀଙ୍କ ବିଭିନ୍ନ କୃଷି ଉପକରଣ ସହ ଖେଳ ସାମଗ୍ରୀ ଏବଂ ଔଷଧ, ବସ୍ତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.