ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ, ୯,୮୮୧ଖଣ୍ଡ ଭୋଟରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେପିର ବାଜିପାତ ହୋଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯,୮୮୧ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୯ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯,୮୮୧ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ। ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂର୍ଯ୍ୟବଂଶୀ ସୂରଜ ପ୍ରଥମ ।

ଚୂଡ଼ାନ୍ତ ରାଉଣ୍ଡ ଗଣତି ପରେ ସିଇଓ ସୁଶୀଲ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୮୦,୩୫୧ଟି ଭୋଟ ପାଇଥିବାବେଳେ ତାଙ୍କର ନିକଟ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦, ୪୭୦ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୬୧ଟି ଭୋଟ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୮,୧୫୩ଟି ଭୋଟ ପାଇଛନ୍ତି। ଏଥିରେ ୧୯ ରାଉଣ୍ଡ ଭୋଟ ଗଣତି ହୋଇଥିଲା ଏବଂ ସବୁ ରାଉଣ୍ଡରେ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହୁଥିଲେ। ତେବେ ଶେଷ ୧୯ ରାଉଣ୍ଡ ପରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି ୯,୮୮୧ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଅପରପକ୍ଷରେ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ଟି ଭୋଟ ପାଇଛନ୍ତି ଏବଂ ଏଠାରେ ଭୋଟର ନୋଟାରେ ୬୫୦ଭୋଟ ଦେଇଛନ୍ତି।ଭିଭିପାଟ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଆଜି ଧାମନଗର ଉପନିର୍ବାଚନର ଭୋଟ ଗଣତି ହୋଇଥିଲା। ଏଥିପାଇଁ ସବୁଠି ଉତ୍କଣ୍ଠା ପ୍ରକାଶ ପାଇଥିଲା। ଭୋଟ ଗଣତି ଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳଙ୍କ ହତା ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିଲା। ଗଣତି ଲାଗି ୧୪ ଟି ଟେବୁଲ ବ୍ୟବସ୍ଥା କରାଯାଇଥିଲା। ମୋଟ ୨୫୨ଟି ବୁଥ୍‌ ଲାଗି ୧୯ ରାଉଣ୍ଡ ଗଣତି ହୋଇଥିଲା।

ବିରୋଧୀଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଉପନିର୍ବାଚନର ଆବଶ୍ୟକତା ପଡିଥିଲା। ଏଣୁ ଏହି ଆସନକୁ ନିଜ କବ୍‌ଜାରେ ରଖିବା ବିଜେପି ପାଇଁ ଆହ୍ୱାନ ଥିଲା। ଅନୁରୂପ ଭାବେ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ସତ୍ତ୍ବେ ଉପନିର୍ବାଚନରେ ବିଜୟଧାରା ବଜାୟ ରଖିବା ବିଜେଡି ପାଇଁ ମଧ୍ୟ ଆହ୍ୱାନ ସୃଷ୍ଟି କରିଥିଲା। ସେହିଭଳି ବିଦ୍ରୋହ କରି ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିବା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜୟୀ ହେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହୋଇଥିଲା। ଆହୁରି ମଧ୍ୟ କଂଗ୍ରେସ ପ୍ରତି ଭୋଟର ବିମୁଖ ରହିଥିବାବେଳେ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟ ସେଭଳି କିଛି ପ୍ରଭାବ ଭୋଟରଙ୍କ ଉପରେ ପଡ଼ିନଥିଲା। ଶେଷରେ ସମସ୍ତଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.