xmas

ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କ ପ୍ରାଥମିକ କର୍ତବ୍ୟ: ଆରକ୍ଷୀ ମହାନିର୍ଦ୍ଦେଶକ

୬ଷ୍ଠ ବ୍ୟାଚ୍ ଡିଏସ୍‌ପି ପ୍ରୋବେସନର୍‌ଙ୍କ ଦୀକ୍ଷାନ୍ତ ସମାରୋହ

ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କ ପ୍ରାଥମିକ କର୍ତବ୍ୟ ହେବା ଉଚିତ୍ । ସେଥିନିମନ୍ତେ ନିଜର କର୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ୍‌ ୧୩ଜଣ ଡିଏସ୍‌ପି ପ୍ରୋବେସନର୍‌ଙ୍କ ଉଦ୍ଦେଶ୍ୟରେ ବାର୍ତା ପ୍ରଦାନ କରିଛନ୍ତି । ବିଜୁ ପଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀଠାରେ ଆୟୋଜିତ ୬ଷ୍ଠ ବ୍ୟାଚ୍ ଡିଏସ୍‌ପି ପ୍ରୋବେସନର୍‌ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡିଜିପି ଶ୍ରୀ ବଂସଲ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଆଇନ୍ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ନବନିଯୁକ୍ତ ଡିଏସ୍‌ପିଙ୍କ ନିକଟରେ ଗୁରୁଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଦାୟିତ୍ୱକୁ ସଠିକ୍‌ ଭାବେ ପାଳନ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୋଲିସ୍‌ର ସୁନାମ ବଢାଇବାକୁ ଡିଜିପି ଶ୍ରୀ ବଂସଲ୍ ନବାଗତ ଡିଏସ୍‌ପିମାନଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଥିଲେ ।

ପ୍ରତିଦିନ ପୋଲିସ୍ ସମ୍ମୁଖରେ ବିଭିନ୍ନ ଚ୍ୟାଲେଞ୍ଜ୍ ରହିଥାଏ । ଆଜିଠାରୁ ପ୍ରତିଟି କ୍ଷେତ୍ରରେ ଏବଂ ପ୍ରତି ମୁହୂର୍ତରେ ସମ୍ମୁଖୀନ ହେବାକୁ ଯାଉଥିବା ବିଭିନ୍ନ ଚ୍ୟାଲେଞ୍ଜ୍‌କୁ ସଫଳତାର ସହ ପ୍ରତିହତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ । ଏହାବ୍ୟତୀତ ପୋଲିସ୍ ପ୍ରତି ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ସବୁବେଳେ ରହିଥାଏ । ତେଣୁ କାର୍ଯ୍ୟକ୍ଷେତ୍ରରେ ସାଧୁତା, ନିରପେକ୍ଷ ଏବଂ ନ୍ୟାୟବାଦୀ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ମହିଳା ଓ ଶିଶୁ ମାନଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ସମ୍ବେଦନଶୀଳ ହେବା ସହ ସୁଚାରୁରୂପେ ପାଳନ କରିବା ଉପରେ ଡିଜିପି ଶ୍ରୀ ବଂସଲ ପରାମର୍ଶ ଦେଇଥିଲେ । ଅତୀତରେ ମାଓ ସମସ୍ୟ।।କୁ ଓଡ଼ିଶା ପୋଲିସ୍‌ ସଫଳତାର ସହ ମୁକାବିଲା କରିଛି କିନ୍ତୁ ତଥାପି ଚ୍ୟାଲେଞ୍ଜ୍ ବାକି ରହିଛି । ଆଗାମୀ ଦିନରେ ଏହି ସମସ୍ୟାର ମୁକାବିଲା କରିବା ନିମନ୍ତେ ଗୁରୁଦାୟିତ୍ୱ ଅର୍ପଣ କରାଯିବ ବୋଲି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ଏହାସହ ୫-ଟି ନିୟମାବଳୀକୁ କାର୍ଯ୍ୟକ୍ଷେତ୍ରରେ ସଠିକ୍ ଭାବେ ପାଳନ କରିବା ଉପରେ ଡିଜିପି ଶ୍ରୀ ବଂସଲ ଡିଏସ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ପ୍ରୋବେସନର୍ ଡିଏସ୍‌ପିମାନଙ୍କ ଦ୍ୱାରା ଚିତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା । ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଡିଏସ୍‌ପି ପ୍ରୋବେସନର୍ ସଚିନ୍ ପଟେଲ୍‌, ସୁବ୍ରତ କୁମାର, ଉପାସନା ପାଢୀ, ମୀନାକ୍ଷୀ ଠାକୁର ଏବଂ
ରଶ୍ମିରଞ୍ଜନ ସେନାପତିଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଥିଲେ । ଏହାସହ ୧୨ଜଣଙ୍କୁ କେନ୍ଦ୍ର ଗୃହ ମବୀଙ୍କ ଟ୍ରଫି ଡିଜିପି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟନାୟକ ଷ୍ଟେଟ୍ ପୋଲିସ୍‌ ଏକାଡ଼େମୀର ନିର୍ଦ୍ଦେଶକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ଆଇଜି ଶ୍ରୀମତୀ ସାଇନି ଏସ୍‌ଙ୍କ ସମେତ ପୋଲିସ୍ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.