ମାଲ୍ୟବନ୍ତ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଜାନୁୟାରୀ ୧୫ରୁ ୧୯ ପର୍ଯ୍ୟନ୍ତ ମାଲ୍ୟବନ୍ତ ମହୋତ୍ସବ

ମାଲକାନଗିରି,୧୦/୧୧: ମାଲକାନଗିରି ଜିଲ୍ଲାରେ ଲୋକ ମହୋତ୍ସବ ମାଲ୍ୟବନ୍ତ ଆସନ୍ତା ଜାନୁୟାରୀ ୧୫ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ପଲ୍ଲୀଶ୍ରୀ ମେଳା ୧୮ ଓ ୧୯ ତାରିଖରେ କରିବା ପାଇଁ ଆଜି ଅନୁଷ୍ଠିତ ମାଲ୍ୟବନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜିର ଏହି ବୈଠକରେ ଜିଲ୍ଲାପାଳ ବିଶାଲ ସିଂ ପୌରହିତ କରିଥିବା ବେଳେ ଏସପି ନୀତିଶ ଵାଧଵାନି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ,ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି, ସଂସ୍କୃତି ଅଧିକାରୀ ସମେତ ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀ,ବୁଦ୍ଧିଜୀବୀ,ଜନସାଧାରଣ,ବରିଷ୍ଠ ନାଗରିକ,ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଉପସ୍ଥିତ ଥିଲେ। ଖଇରପୁଟ ବ୍ଲକର ପବିତ୍ର ତୀର୍ଥସ୍ଥଳୀ ଆମାକୁଣ୍ଡ ଠାରୁ ଆସନ୍ତ ଜାନୁୟାରୀ ୯ ତାରିଖ ଦିନ ପବିତ୍ର ପାଣି ସଂଗ୍ରହ କରାଯିବ। ସେହି ଦିନ ଠାରୁ ହିଁ ତିନି ଦିନ ଧରି ଜିଲ୍ଲାର ୭ଟି ବ୍ଲକରେ ବ୍ଲକସ୍ତରୀୟ ପରବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ମାଲ୍ୟବନ୍ତ ମହୋତ୍ସବର ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଥିଲା। ସ୍ଥାନୀୟ ଡିଏନକେ ପଡିଆରେ ହିଁ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା।ଗତ ଦୁଇବର୍ଷ ଧରି ଏହି ଲୋକ ପର୍ବ ଅନୁଷ୍ଠିତ ହୋଇନଥିବାରୁ ଚଳିତ ବର୍ଷ ବହୁ ଲୋକଙ୍କ ସମାଗମ ହେବା ସହ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି କୁହାଯାଇଥିଲା। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ଯେପରି କଡାକଡି କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.