କନ୍ଧମାଳରେ ସାକ୍ଷରତା ହାର ବଢ଼ୁନି: ୩ ଲକ୍ଷ ୩୩ ହଜାର ଏବେ ବି ନିରକ୍ଷର

ଫୁଲବାଣୀ, ୧୨/୧୧: ଆଦିବାସୀ ଅଧୁଷିତ କନ୍ଧମାଳ ଜିଲାରେ ୨୦୧୧ ଜନଗଣନା ହିସାବରେ ମୋଟ ୭ ଲକ୍ଷ ୩୩ ହଜାର ୧୧୦ ଲୋକ ବସବାସ କରୁଛନ୍ତି। ଜିଲ୍ଲାର ୧୨ଟି ବ୍ଲକରେ ମୋଟ ୧୭୧ଟି ଗ୍ରାମ ପଞ୍ଚାୟତ ରହିଛି। ସେହିପରି ଜିଲ୍ଲାରେ ମୋଟ ୨ହଜାର ୫୧୫ ଗାଁ ଓ ପଡ଼ା ରହିଛି। ମୋଟ ଜନସଂଖ୍ୟା ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୯୪୫ ଥିବା ବେଳେ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୭୩ ହଜାର ୧୬୫ ରହିଛି । ସେମାନଙ୍କ ମଧ୍ୟରୁ ମୋଟ ୩ ଲକ୍ଷ ୩୩ ହଜାର ୩୨୪ ଜଣ ନିରକ୍ଷର ଥିବା ଜଣାପଡିଛି। ଜିଲ୍ଲାର ଅଧିକାଂଶ ଆଦିବାସୀ ଓ ହରିଜନ ତଥା ଗରୀବ ମୁଲିଆ, କୃଷି ଶ୍ରମିକ ଭାବରେ କାମ କରୁଛନ୍ତି । ଜିଲ୍ଲାରେ ମୋଟ ନିରକ୍ଷରଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ଢ଼େର ଅଧିକ । ୨ ଲକ୍ଷ ୦୭ ହଜାର ୨୭୯ ଜଣ ମହିଳା ନିରକ୍ଷର ଥିବା ବେଳେ ୧ ଲକ୍ଷ ୨୬ ହଜାର ୪୫ ଜଣ ପୁରୁଷ ନିରକ୍ଷର ଅଛନ୍ତି ମହିଳାଙ୍କ ସାକ୍ଷରତା ହାର ୪୮.୭୭ ପ୍ରତିଶତ ରହିଛି । ଗ୍ରାମାଞ୍ଚଳର ମହିଳା ନିରକ୍ଷର ସଂଖ୍ୟା ଅଧିକା ଥିବା ଜଣାପଡିଛି। ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିଲେ ମଧ୍ୟ ସାକ୍ଷରତା ବୃଦ୍ଧି ଘଟୁ ନାହିଁ। ଅତୀତରେ ସାକ୍ଷରତା ହାର ବଢ଼ାଇବା ଲାଗି ସରକାର ସଂପୁର୍ଣ୍ଣ ସାକ୍ଷରତା ଯୋଜନା, ପୌଢ଼ ଶିକ୍ଷା ଯୋଜନା, ନିନାଦ କାର୍ଯ୍ୟକ୍ରମ, ଡିପି ଇପି, ସର୍ବଶିକ୍ଷା ଯୋଜନା, ସମଗ୍ର ଶିକ୍ଷା ଆଦି ଯୋଜନାମାନ ପ୍ରଣୟନ ହୋଇ କରିଥିଲେ ମଧ୍ୟ ଏ ସବୁ ଯୋଜନା ସଫଳତା ହାସଲ କରିପାରିନି ଜିଲ୍ଲାରେ । ତେବେ ସହରାଞ୍ଚଳରେ ସାକ୍ଷରତା ହାର ୮୬.୦୮ ପ୍ରତିଶତ ରହିଛି । ନିରକ୍ଷରତା ଯୋଗୁଁ ଲୋକେ ସଚେତନ ହୋଇ ପାରୁନାହାନ୍ତି। ଫଳରେ ବିଭିନ୍ନ କଲ୍ୟାଣ କାରି ଯୋଜନାର ସୁଫଳ ମଧ୍ୟ ପାଇ ପାରୁନାହାନ୍ତି। ଅନେକ ସମୟରେ ଠକେଇର ମଧ୍ୟ ଶୀକାର ହେଉଛନ୍ତି । ସରକାରୀ କର୍ମଚାରୀ, ଟାଉଟର ନେତା ଏମାନଙ୍କ ବେଶ ଫାଇଦା ମଧ୍ୟ ଉଠାଇଛନ୍ତି । ସୁବିଧାରେ ଭୋଟ ମଧ୍ୟ ହାତଉଛନ୍ତି। ଏଣୁ ସାକ୍ଷରତା ହାର ବୃଦ୍ଧି ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ l

Leave A Reply

Your email address will not be published.