xmas

ମାଳିପଦର ଏନକାଉଣ୍ଟର ଘଟଣା: ଜିଲ୍ଲା କଂଗ୍ରେସର ବିରାଟ ରାଲି, ଏସପି ଓ ଜିଲ୍ଲାପାଳକୁ ଦାବି ପତ୍ର ପ୍ରଦାନ

ମାଲକାନଗିରି,୨୮/୧୧: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ମାଳିପଦର ଠାରେ ଗତ ୧୦ ତାରିଖ ଦିନ ହୋଇଥିବା ମିଥ୍ୟା ଏନକାଉଣ୍ଟରକୁ ବିରୋଧ କରି ଆଜି ଜିଲ୍ଲା କଂଗ୍ରେସ ତରଫରୁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିବା ବେଳେ ଏସପି ଓ ଜିଲ୍ଲାପାଳଙ୍କୁ ଏନେଇ ଦାବି ପତ୍ର ପ୍ରଦାନ କରାଯାଇଛି। ଚାରି ଦଫା ଦାବି ନେଇ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ ମହିଳା ପୁଲୁଷ କର୍ମୀ ରାଲିରେ ବାହାରି ଦାବି ପତ୍ର ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ରହିଛି ତୁରନ୍ତ ନିରପେକ୍ଷ ସିବିଆଇ ଦ୍ବାରା ତଦନ୍ତ କରାଯାଉ। ହତ୍ୟା କରି ମାଓବାଦୀ ଆଖ୍ୟା ଦେଇଥିବା ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ମୃତ ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ଏବଂ ନୀରିହ ଲୋକଙ୍କୁ ମାଓବାଦୀ ଆଖ୍ୟା ଦେଇ ହତ୍ୟା କରାନଯାଉ ବୋଲି ଦାବି କରାଯାଇଛି। ଯଦି ତୁରନ୍ତ ଏହି ଦାବି ଗୁଡିକ ପୂରଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରକାଶ ଥାଉକି କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ଏହି ଏନକାଉଣ୍ଟରକୁ ମିଥ୍ୟା ବୋଲି ଦାବି କରି ରାସ୍ତା ରୋକ କରିବା ଦ୍ବାରା ପୁଲିସ ଶ୍ରୀ ବୁରୁଦାଙ୍କ ସମେତ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ମୃତ ଧନ କମାର ପରିବାରର ଜଣେ ମାତ୍ର ରୋଜଗାରିଆ ହୋଇଥିବାରୁ ତୁରନ୍ତ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରଥମରୁ ହିଁ ଦାବି ହୋଇ ଆସୁଥିଲା। ଆଜି କଂଗ୍ରେସ ତରଫରୁ ଜିଲ୍ଲାର ଶତାଧିକ ମହିଳା ପୁରୁଷ କର୍ମୀ ଏକତ୍ରିତ ହୋଇ ଏହି ମିଥ୍ୟା ଏନକାଉଣ୍ଟର ବିରୋଧରେ ରଣହୁଙ୍କାର କରିଥିଲେ। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ଶ୍ରମିକ ଥିଲେ। ସେମାନେ ପେଟ ପାଇଁ ବାଧ୍ୟ ହୋଇ ଗଂଜେଇ ବୋହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିଲେ। ସେମାନଙ୍କୁ ଯବାନ ଧରି ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା। ସେମାନଙ୍କ ନିକଟରେ ଗଂଜେଇ ରହିଥିବା ଦେଖିବା ପରେ ମଧ୍ୟ ଏହାକୁ ଭୃକ୍ଷେପ ନକରି ସେମାନଙ୍କ ଉପରେ ଗୁଳି ଚଳାଯାଇଥିଲା। ଯାହାକୁ କଂଗ୍ରେସ ନିନ୍ଦା କରିଛି। ଆଗାମୀ ଦିନରେ ଏହାକୁ ନେଇ ଏକ ଜିଲ୍ଲାବ୍ୟାପୀ ବଡ ଆନ୍ଦୋଳନ କରିବାକୁ କଂଗ୍ରେସ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏହି ରାଲି ଏବଂ ଦାବି ପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ମାଲା ମାଢି, ଉଙ୍ଗା ପଡିଆମି, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ଜି.ଶ୍ରୀନିବାସ ରାଓ, ଇର୍ମା ପଡିଆମି ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.