ନବୀନ କାହିଁକି ଯାଇଥିଲେ ପଦ୍ମପୁର? ଜିତିବା ପରେ ଉତ୍ତର ରଖିଲେ

ଭୁବନେଶ୍ୱର: ପଦ୍ମପୁରରେ ବିଜେଡିର ବିଜୟ ପରେ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ବିଜୟ ଲାଗି ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଜୁହାର କହିଛନ୍ତି। ଏଥିସହ ପଦ୍ମପୁରକୁ କାହିଁକି ପ୍ରଚାର କରିବା ପାଇଁ ଯାଇଥିଲେ, ତା’ର ଉତ୍ତର ମଧ୍ୟ ଦେଇଛନ୍ତି ନବୀନ।

ନବୀନ ପଟ୍ଟନାୟକ କହିଛନ୍ତି, ଜଣେ ଉଚ୍ଚ ଶିକ୍ଷିତା ଓ ବାପା ଛେଉଣ୍ଡ ଝିଅଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କରିଥିଲେ। ତାହା ମୋତେ ବହୁତ ଦୁଃଖ ଦେଇଥିଲା। ମୁଁ ଭାବୁଛି, ଏହା କେବଳ ମୋ’ ପାଇଁ ଦୁଃଖ ନୁହେଁ। ଓଡ଼ିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା। ରାଜନୀତିରେ ହାରିବା, ଜିତିବା ଓ ନିର୍ବାଚନରେ ଲଢିବା କଥା ଅଲଗା। କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା ଅତି ନିନ୍ଦନୀୟ। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ବର୍ଷା ସିଂ ବରିହାଙ୍କ ପାଖରେ ଠିଆ ହେବି ଜଣେ ବାପା ଭଳି। ମୁଁ ବିରୋଧୀ ଦଳ ତଥା ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ।

ସେ ଆହୁରି କହିଛନ୍ତି- ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀମାନେ ଓଡ଼ିଶାବାସୀ ତଥା ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ସେ ଆବାସ ଯୋଜନା ହେଉ ବା କେନ୍ଦୁପତ୍ରର ଜିଏସଟି ହେଉ। ଫସଲ ବୀମାର ବିଳମ୍ବ ହେଉ ବା ଏମ୍‌ଏସପି ପ୍ରସଙ୍ଗ ହେଉ। ରେଳ କନେକ୍ଟଭିଟି ହେଉ ବା ଅନ୍ୟ କିଛି, ଏହା ଠିକ୍‌ ନୁହେଁ। ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ। ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଓଡ଼ିଶାର ଉନ୍ନତି ପାଇଁ କାମ କରିବା ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.