ଗବେଷଣା ପାଇଁ ଶରୀର ଦାନ କରି ସମାଜ ଆଗରେ ପ୍ରେରଣା ସାଜିଲେ ଶ୍ରୀନିବାସଙ୍କର ପରିବାରବର୍ଗ

ଭୁବନେଶ୍ୱର: ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି, ହେଲେ ମୃତ୍ୟୁ ପରେ ମେଡ଼ିକାଲ ରିସର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଶରୀର ଦାନ କରି ସମସ୍ତଙ୍କ ଆଖିରେ ଅଲିଭା ଛବି ଆଙ୍କିଦେଇଛନ୍ତି ସେ । ହଜିଯାଇଛି ତାଙ୍କ ଆତ୍ମା କିନ୍ତୁ ଅନ୍ୟମାନଙ୍କ ହୃଦୟକୁ ଜିତିଯାଇଛନ୍ତି । ଓଡ଼ିଶା-ମୋ ପରିବାର ସଂଯୋଜନାରେ ଶରୀରଦାନ କରି ପରିବାରବର୍ଗ ସମାଜ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ।

ସେ ଆଉ କେହି ନୁହେଁ, ଖୋର୍ଦ୍ଧା ଜିଲ୍ଲା ପାତ୍ରପଡ଼ା ଅଞ୍ଚଳର ଜଣେ ୬୪ ବର୍ଷିୟ ବୃଦ୍ଧ ଶ୍ରୀନିବାଶ ମିଶ୍ର । ଗତ କିଛି ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ ସ୍ଵାଇଁ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ପ୍ରାୟ ୮ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାରବର୍ଗ ତାଙ୍କୁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଦୁର୍ଭାଗ୍ୟବଶତଃ, ଆଜି ସକାଳେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ସମାଜ ଆଖିରେ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଗବେଷଣା ନିମନ୍ତେ ଶ୍ରୀନିବାସଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା-ମୋ ପରିବାର ପକ୍ଷରୁ ଅଙ୍ଗଦାନ ଅଭିଯାନ ସମ୍ପର୍କରେ ଖବର ପାଇବା ପରେ ପରିବାରବର୍ଗ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶଙ୍କୁ ଯୋଗାଯୋଗ କରିଥିଲେ । ଓଡ଼ିଶା-ମୋ ପରିବାର ପକ୍ଷରୁ ଏମ୍ସ ହସ୍ପିଟାଲ ସହିତ ସମନ୍ଵୟ ରକ୍ଷା କରାଯାଇ ଶ୍ରୀନିବାସଙ୍କର ଶରୀର ଗବେଷଣା ନିମନ୍ତେ ଦାନ କରାଯାଇଥିଲା । ଏ ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ ସ୍ଵାଇଁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.