ଗରିବ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସାମ୍ବାଦିକ ଦମ୍ପତି: ପୋଷଣ ଯୁକ୍ତ ଖାଦ୍ୟ, ଔଷଧ ଓ କମ୍ବଳ ପ୍ରଦାନ

ମାଲକାନଗିରି,୩/୧: ନୂତନ ବର୍ଷ ଆରମ୍ଭରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଜଣେ ଗରିବ ବୃଦ୍ଧ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସାମ୍ବାଦିକ ଦମ୍ପତି। ମାଲକାନଗିରି ପୋୖର ପରିଷଦ ଅଧିନସ୍ଥ କୁମ୍ଭାର ସାହିର ଗରିବ ବୃଦ୍ଧ ଯକ୍ଷ୍ମା ରୋଗୀ ଧନପତି ଖରାଙ୍କୁ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଓ ତାଙ୍କ ପତ୍ନୀ ସୁଚିତ୍ରା ଦାଶ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଶ୍ରୀ ଖରାଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଉତ୍ତମ ପୋଷଣ ଯୁକ୍ତ ଆହାରର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସାମ୍ବାଦିକ ଦମ୍ପତି ସହମତି ପ୍ରକାଶ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତମ ପୋଷଣ ଯୁକ୍ତ ଖାଦ୍ୟ ବାସ୍କେଟ ଓ କମ୍ବଳ ଯକ୍ଷ୍ମା ରୋଗୀଙ୍କୁ ପ୍ରଦାନ କରିଛନ୍ତି । ପ୍ରତି ମାସରେ ରୋଗୀଙ୍କ ଔଷଧ ସରିବା ପର୍ଯ୍ୟନ୍ତ ଏହି ପରି ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ କରିବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିଏମିଓ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଯୋଗ ଦେଇ କୌଣସି ଯକ୍ଷ୍ମା ରୋଗୀଙ୍କୁ ହତାଦର କିମ୍ବା ବାଛନ୍ଦ କରିବା ଉଚିତ ନୁହଁ, ସେମାନଙ୍କୁ ସବୁବେଳେ ପରିଷ୍କାର ପରିଛନ୍ନ ରଖିବା ସହିତ ମାଦକ ଦ୍ରବ୍ୟ ଓ ନିଶାପାଣି ଠାରୁ ଦୂରେଇ ରଖିବା, ନିୟମିତ ଭାବେ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ଯୋଗାଇବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ନିୟମିତ ଭାବେ ମାଗଣାରେ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ଗରିବ ରୋଗୀଟିଏ ପୃଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକ୍ଷୟ ମିତ୍ର ଟିବି ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ କିଛି ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ଗରିବ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି, ଏହା ଏକ ଶୁଭ ସଙ୍କେତ ବୋଲି ଶ୍ରୀ ନନ୍ଦ କହି ଓ ଯକ୍ଷ୍ମା ରୋଗୀକୁ ମାସିକ ଔଷଧ ପ୍ୟାକେଟ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାଶ, ଜିଲ୍ଲା ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡାକ୍ତର ସନ୍ଧ୍ୟାରଣୀ ପଟ୍ଟନାୟକ, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଡିଏଏମ ଅଙ୍କିତ ଜୈନ, ଯକ୍ଷ୍ମା ବିଭାଗ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାବୁଜି ଖରା ଉପସ୍ଥିତ ରହି ଯକ୍ଷ୍ମା ରୋଗ ଓ ତାର ନିରାକାରଣ ସମ୍ପର୍କ କହିଥିଲେ। ଯକ୍ଷ୍ମା ରୋଗ ନିନ୍ତ୍ରଣ ସେଲର ସଦାନନ୍ଦ ସାହୁ, ପି ଈଶ୍ୱର ରାଓ, ଗୁରୁଦତ୍ତ ବେହେରା, ମନୋରଂଜନ ପରିଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.