ସେପ୍ଟେମ୍ବରରେ ଏସିଆ କପ୍‌ କ୍ରିକେଟ

ନୂଆଦିଲ୍ଲୀ : ଏସିଆ କପ୍‌ କ୍ରିକେଟ ସେପ୍ଟେମ୍ବରରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ୫୦ ଓଭର ଫର୍ମାଟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଦେଶ ଘୋଷଣା ହୋଇନାହିଁ ବୋଲି ଏସିଆନ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ କୁହାଯାଇଛି। ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳାଯିବାର ଥିଲା। ଦିନିକିଆ କ୍ରିକେଟ ବିଶ୍ବକପକୁ ଦୃଷ୍ଟିରେ ରଖି ଏହାକୁ ୫୦ ଓଭର ବିଶିଷ୍ଟ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏସିଆ କପ୍‌ର ଆୟୋଜନ ଅଧିକାର ପାକିସ୍ତାନ ପାଇଛି। ଭାରତ-ପାକିସ୍ତାନ ତିକ୍ତତା ଯୋଗୁଁ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନ ନପଠାଇବାକୁ ନିଷ୍ପତ୍ତି ନେଇଛି । ଏଭଳି ସ୍ଥିତିରେ ଏସିଆ କପ୍‌ ପାକିସ୍ତାନରେ ହେବା ନ ହେବା ନେଇ ଆଶଙ୍କା ମଧ୍ୟ ଲାଗି ରହିଛି । ଭାରତ ଯଦି ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନଯାଏ; ତେବେ ପାକିିସ୍ତାନ ମଧ୍ୟ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରୁ ଓହରି ଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଧମକ ଦେଇଥିଲେ। ୨୦୨୩ ଏସିଆ କପରେ ମୋଟ ୬ଟି ଦଳ ଖେଳିବେ। ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ କରିଥିବା ବେଳେ ଅନ୍ୟ ଏକ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଆସିବ। ବିସିସିଆଇ ସମ୍ପାଦକ ତଥା ଏସିସି ସଭାପତି ଜୟ ଶାହ କହିଛନ୍ତ, ଏସିଆ କପ୍‌ ୨୦୨୩ ଓ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଏସିସି ଦୁଇ ବର୍ଷ ୨୦୨୩-୨୪ରେ ଏସୀୟ କ୍ରିକେଟ ଦେଶ ମୋଟ ୧୪୫ଟି ଦିନିକିଆ ଓ ଟି୨୦ ମ୍ୟାଚ ଖେଳିବ। ୨୦୨୩ରେ ୭୫ଟି ଓ ୨୦୨୪ରେ ୭୦ଟି ମ୍ୟାଚ ଖେଳାଯିବ। ୨୩ ବର୍ଷରୁ କମ୍‌ ଏସିଆ କପ୍‌ ଜୁଲାଇରେ ୫୦ ଓଭର ଫର୍ମାଟରେ ଖେଳାଯିବ। ଏଥିରେ ୮ଟି ଦଳ ଖେଳିବେ। ମହିଳା ଏସିଆ କପ୍‌ ଟି-୨୦ ଆସନ୍ତା ଜୁନରେ ଖେଳାଯିବ। ଏଥିରେ ୮ଟି ଦଳ ଖେଳିବେ।

Leave A Reply

Your email address will not be published.