ଆନ୍ଧ୍ରକୁ ଚାଲାଣ ବେଳେ ୧୮ ଶିଶୁ ଶ୍ରମିକ ଉଦ୍ଧାର, ୨ ଦଲାଲ ଅଟକ

କାଲିମେଳା: ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟିରେ କାମ କରିବାକୁ ଯାଉଥିବା ୧୮ଜଣ ଶିଶୁ ଶ୍ରମିକଙ୍କୁ କାଲିମେଳା ପୁଲିସ ଉଦ୍ଧାର କରିଛି । ଏଥିସହ ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଦଲାଲକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡ଼ିଛି । ଆଜି କାଲିମେଳା ବସଷ୍ଟାଣ୍ତ ନିକଟରେ ଏହି ଶ୍ରମିକମାନେ ଆନ୍ଧ୍ରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ଏନେଇ କାଲିମେଳା ପୁଲିସ ଖବର ପାଇ ଏମାନଙ୍କୁ ଉଦ୍ଧାର କରି ଥାନାକୁ ନେଇ ଆସିଥିଲା । ତେବେ ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ଅଧିକାଂଶ ନାବାଳିକା ଓ ନାବାଳକ ରହିଥିବାର ସୂଚନା ମିଳିଛି । ଏହି ଶ୍ରମିକମାନେ ଦଲାଲଙ୍କ ଜରିଆରେ ଆନ୍ଧ୍ରପ୍ରଦେଶର ନେଲୁର ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବାର ଜଣାପଡ଼ିଛି । ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ଏମାନଙ୍କୁ ଏହି ଦଲାଲମାନେ ଆନ୍ଧ୍ରକୁ ନେଇଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ । ଗତକାଲି ମଧ୍ୟ ଅନୁରୂପ ଭାବରେ ୩୦ରୁ ଉର୍ଦ୍ଧ୍ବ ଶିଶୁ ଶ୍ରମିକଙ୍କୁ ପୋଟେରୁ ପୁଲିସ ଅଟକ ରଖି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲା । ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଧାନ କଟା ସମୟ ଅତିକ୍ରାନ୍ତ ହୋଇଯାଇଥିବାରୁ ଗାଁ ଗାଁରେ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ କମ୍ ବୟସର ଝିଅ ଓ ପୁଅମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ କରିବାରେ ସଫଳ ହୋଇପାରୁଛନ୍ତି । ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଦଲାଲ ଦୁଇଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଥିବାର ଜଣାପଡ଼ିଛି

Leave A Reply

Your email address will not be published.