୩୬ ଲକ୍ଷ ଟଙ୍କାର କୋଠା ବିନା ଟେଣ୍ଡର, ଭିଜିଲାନ୍ସ ତଦନ୍ତ ଦାବି
କାଲିମେଳା:ତା ୮/୧ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ବିନା ଟେଣ୍ଡର ଆହ୍ବାନରେ କାମ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ଘଟୁଥିବା ଅଭିଯୋଗ ହେଉଛି । ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ଉନ୍ନୟନମୂଳକ କାମ ବିନା ଟେଣ୍ଡରରେ କରାଯାଉଛି । ସେଥିମଧ୍ୟରୁ କାଲିମେଳା ବ୍ଲକ କାର୍ଯ୍ୟାଳୟ ନିକଟରେ ଦୁଇ ମହଲା ବିଶିଷ୍ଟ ଏକ ଷ୍ଟାଫ୍ କ୍ୱାଟର କୋଠା ନିର୍ମାଣଧିନ ରହିଛି । ଯାହାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ଟଙ୍କା ହେବ । ଯେଉଁ କାମର ଅଟକଳ ମୂଲ୍ୟ ୧୦ ଲକ୍ଷ କିମ୍ବା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେଲେ ସେ କାମକୁ ଟେଣ୍ଡର ଆହ୍ବାନ କରାଯିବାର ନିୟମ ରହିଅଛି । କିନ୍ତୁ ଟେଣ୍ଡର ଆହ୍ବାନ କଲେ ନିଜେ ଚାହୁଁ ଥିବା ଠିକାଦାରଙ୍କୁ କାମ ଯୋଗାଇ ହେବନାହିଁ । ସେଥିପାଇଁ ନାମକୁ ମାତ୍ର ଡିପାର୍ଟମେଣ୍ଟାଲି କାମ କରି ନିଜେ ଚାହୁଁ ଥିବା ଠିକାଦାର ଙ୍କୁ କାମ ଯୋଗାଇ ଦିଆଯାଉଛି । ଏବଂ ପରବର୍ତ୍ତୀ ସମୟରେ ସଂପୃକ୍ତ ଠିକାଦାରଙ୍କ ଠାରୁ ପିସି କିମ୍ବା ଉପହାର ସ୍ବରୂପ ନିଆଯାଉଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । କାଲିମେଳା ବ୍ଲକ ସାମ୍ନାରେ ମିଶନ ଶକ୍ତି କେପ କୋଠା ୩୦ ଲକ୍ଷ ଟଙ୍କାରେ ଟେଣ୍ଡର କରାଗଲା । କିନ୍ତୁ ୩୬ ଲକ୍ଷ ଟଙ୍କାର ଉକ୍ତ ଷ୍ଟାଫ୍ କ୍ୱ।ଟର କୋଠାକୁ କାହିଁକି ଟେଣ୍ଡର କରାଗଲା ନାହିଁ । ତାଛଡ଼ା ଜିଲ୍ଲାର ନକ୍ସଲ ଉପଦ୍ରବ ଇଲାକାରେ ଟେଣ୍ଡର ଜରିଆରେ ବଡ଼ ବଡ଼ କୋଠା ନିର୍ମାଣ ହେଇପାରିଲା । ତେବେ ଏଠାରେ କାହିଁକି ହେଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଟେଣ୍ଡର ଆହ୍ବାନ କରାଯାଉଥିବା ବେଳେ କାଲିମେଳା ବ୍ଲକରେ ବିନା ଟେଣ୍ଡରରେ କାମ କରାଯାଉଅଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଜୈନେକ ଠିକାଦାରଙ୍କୁ କାମ ଯୋଗାଇ ଦେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଜଣାପଡିଛି । ଏଠାରେ ଜୈନେକ ଠିକାଦାରଙ୍କୁ ବ୍ଲକ ପ୍ରଶାସନର ଠିକାଦାର ପ୍ରୀତି ଯୋଗୁଁ ସରକାର ରାଜସ୍ବ ହରାଉଛି । ଜରୁରୀକାଳୀନ ସମୟ ତଥା ୧୦ ଲକ୍ଷରୁ କମ୍ ଅଟକଳ ମୂଲ୍ୟ ହେଲେ ଡିପାର୍ଟମେଣ୍ଟାଲି କାମ କରିବା ନିୟମ ରହିଥିବା ବେଳେ ଏଠାରେ ଖୋଲା ଖୋଲି ଭାବରେ ଏହାର ଉଲଂଘନ କରାଯାଉଛି । ଏହି କୋଠା ନିର୍ମାଣ ପାଇଁ ୪ଟି କେସ ରେକର୍ଡ ଅପେନ କରି ଗୋଟିଏ କେସ ରେକର୍ଡ ପିଛା ୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ୩ଟି କେସ ରେକର୍ଡ କନିଷ୍ଠ ଯନ୍ତ୍ରୀ ପ୍ରବିନ ସୋରେନ ଏବଂ ଗୋଟିଏ କେସ ରେକର୍ଡ କନିଷ୍ଠ ଯନ୍ତ୍ରୀ ଶିବାଶିଷ ବିଶ୍ଵାସ ନାମରେ କରାଯାଇଥିବା ସୂଚନା ମିଳିଛି । ଏପରି ବ୍ଲକ ପ୍ରଶାସନ ପକ୍ଷରୁ ଅନେକ କାମ ଚାଲିଥିବାରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି । ଏସବୁ କାମ ଗୁଡିକର ଟେଣ୍ଡର ଆହ୍ବାନ କରାଯାଇଥିଲେ ପେପର କଷ୍ଟ ଏବଂ ଲେସ ଏମାଉଣ୍ଟ ବାବଦକୁ ସରକାରଙ୍କ ରାଜସ୍ବ ଆଦାୟ ହୋଇଥାନ୍ତା । ଯଦି ୩୬୦୦୦୦୦ ଲକ୍ଷ ଟଙ୍କାର ଗୋଟିଏ ଇଷ୍ଟିମେଟ କରାଯାଇଥିଲେ ସେଠାର ଟେକ୍ନିକାଲ ସାଙ୍କସନରେ ଏକ୍ଜୁକୁଟିଭ ଇଞ୍ଜିନିୟରିଂ ଓ ଜିଲ୍ଲାପାଳଙ୍କ ଅନୁମୋଦନର ଆବଶ୍ୟକ ରହିଥିବା ବେଳେ ଏହାର ପରିବର୍ତ୍ତେ ସ୍ପିଟପ କରି ଅଲଗା ଅଲଗା କେସ ରେକର୍ଡ ଅପେନ କରି କାମ କରାଯାଇ ରାଜସ୍ବ ହାନି କରାଯାଇଛି । ଏଠାରେ ସରକାରୀ ନିୟମର ଖୋଲା ଖୋଲି ଉଲଂଘନ କରାଯାଇଛି ଏବଂ ଏହି ରାଜସ୍ବ ଟଙ୍କାରେ ପୁଣି ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ହୋଇପାରିଥାନ୍ତା । ତେବେ ଟେଣ୍ଡର ଆହ୍ବାନ ନ କରି ସରକାରଙ୍କ ରାଜସ୍ବ ଆଦାୟକୁ ଫାଙ୍କି ଦିଆଯାଇଛି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି । ଏ ସଂପର୍କରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଶିବାଶିଷ ବିଶ୍ଵାସଙ୍କୁ ଯୋଗାଯୋଗ କରାଯାଇଥିଲା । ଛୋଟ ଛୋଟ ଷ୍ଟାଫ୍ ଘର ପାଇଁ ଅଲଗା ଅଲଗା ଟଙ୍କା ଆସିଥିଲା, କିନ୍ତୁ ଏହାକୁ ଛୋଟ ଛୋଟ ନକରି ଏକାଠି କରାଗଲା ଏବଂ ଏହା ଟେଣ୍ଡର କାମ ନୁହେଁ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ । ପିଡି ଡିଆରଡିଏ ରତ୍ନାକର ସାହୁଙ୍କୁ ପଚାରିବାରୁ ମୁଁ ଏବିଷୟରେ ଜାଣିନି, ମୁଁ ନୂଆ କରି ଆସିଛି , ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରନ୍ତୁ ବୋଲି ପ୍ରତିକ୍ରିୟା ଦେଇଥିଲେ। ସହକାରୀ ଯନ୍ତ୍ରୀ ସୁଧାନସୁ ବେହେରା ଫୋନ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Sign in
Sign in
Recover your password.
A password will be e-mailed to you.
Next Post