କାଲିମେଳା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକକୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ନୂତନ ବର୍ଷର ପ୍ରଥମ ମାସର ଭେଟି ଦେଇଛନ୍ତି । ବ୍ଲକର ଅନେକ ଅଭ୍ୟନ୍ତରୀଣ ଇଲାକାର ପାନୀୟ ଜଳ ସଙ୍କଟକୁ ମୂଳପୁଛ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଏଥିରେ କାଲିମେଳା ବ୍ଲକର ୧୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୧୯ ଟି ଗ୍ରାମର ପ୍ରାୟ ୯୬୦୨୪ ଜଣ ଲୋକ ଶୁଦ୍ଧ ପାଣି ପାଇବାକୁ ଉପକୃତ ହେବେ । ଜିଲ୍ଲାର କାଲିମେଳା ବ୍ଲକ ସମେତ ମୋଟ ୪ଟି ବ୍ଲକ ଯଥା କାଲିମେଳା, ମାଲକାନଗିରି, ମାଥିଲି ଓ ଖଇରପୁଟ ବ୍ଲକକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ୪ ବ୍ଲକର ୬୧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪୫୩ ଗ୍ରାମର ମୋଟ ୩,୧୩,୬୨୦ ଲୋକ ଉପକୃତ ହେବାକୁ ଥିବା ବେଳେ ଏହି ପ୍ରକଳ୍ପ ପାଇଁ ୬୩୯ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏବଂ ପ୍ରକଳ୍ପ ଗୁଡ଼ିକୁ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏପରି ପଦକ୍ଷେପକୁ ଗତ ଶନିବାରରେ ମୁଖ୍ୟମନ୍ତ୍ରୀ ଘୋଷଣା କଲା ପରେ କାଲିମେଳା ବ୍ଲକ ବିଜେଡି କମିଟି ପକ୍ଷରୁ କାଲିମେଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏଥିରେ ସରପଞ୍ଚ ପୃଥିବୀ ରାଜ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଜୋନ୍ ୨ର ମମତା ପଡିଆମି, ସାଂସଦ ପ୍ରତିନିଧି ଇ.ଭେଙ୍କେଟ ରାଓ, ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ବି.ଭାଷ୍କର ରାଓ, ସୁଜନ ମିସ୍ତ୍ରୀ, ରୁଦ୍ର ପାତ୍ର, ସୁଧିର ସ୍ବାଇଁ ସମେତ ଅନ୍ୟ ସକ୍ରୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ମାସ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେରେ କାଲିମେଳା ଗ୍ରୀଡ୍ ସବଷ୍ଟେସନ ଲୋକାର୍ପିତ କରି କାଲିମେଳା ବ୍ଲକର କୃଷି, ଶିଳ୍ପ ଓ ସାଧାରଣ ଜୀବନଯାପନ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଶକ୍ତି ଭେଟି ଦେଇଥିବା ବେଳେ ପୁଣି ବୃହତ ପାନୀୟଜଳ ପ୍ରକଳ୍ପକୁ ଅର୍ଥ ମଞ୍ଜୁର କରିଛନ୍ତି । ଯାହା ଫଳରେ ବିଦ୍ୟୁତ୍ ଶକ୍ତି ସହିତ ଶୁଦ୍ଧ ପାନୀୟ ଜଳ ଯୋଗାଣ ପଦକ୍ଷେପ କାଲିମେଳା ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି ।
Sign in
Sign in
Recover your password.
A password will be e-mailed to you.