ଭୁବନେଶ୍ୱର, ୨୫ /୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୩ ଦିନିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍ଯାପିତ ହୋଇଯାଇଛି । ଏଥିରେ ୧୨ଟି ଉଚ୍ଚ ଶିକ୍ଷାନୁଷ୍ଠାନର ୧୦୦ ରୁ ଊର୍ଦ୍ଧ୍ୱ ଏନଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଠାରେ ଗତ ଶନିବାର କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗଠନର ଲକ୍ଷ୍ୟକୁ ଆଲୋଚନା କରି ସ୍ୱେଚ୍ଚାସେବୀମାନେ ଏନଏସ୍ଏସର “ମୁଁ ନୁହେଁ ତୁମେ” ସ୍ଲୋଗାନ୍ ଉପରେ ଜୋର୍ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ସେଂଟର୍ ଅଫ୍ ଏକ୍ମିଲେନ୍ସ ଫର୍ ଷ୍ଟଡିସ୍ ଇନ୍ କ୍ଲାସିକାଲ୍ ଓଡ଼ିଆର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷା ଉପରେ ଗୁରୁତ୍ୱ ନେଇ ବକ୍ତବ୍ୟ ରଖିଥିଲେ ।
ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଏନ୍ଏସ୍ଏସ୍ ପ୍ରୋଗ୍ରାମ କୋଅର୍ଡିନେଟର ତଥା ସୋଆର ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ଜବାହାର ନବୋଦୟ ବିଦ୍ୟାଳୟ, ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଭଳି ୧୨ଟି ଶିକ୍ଷାନୁଷ୍ଠାନର ୧୧୦ ଜଣ ସ୍ୱେଚ୍ଛାସେବୀ ଏହି ଶିବିରରେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ୧୦ଟି ଏକାଡେମିକ୍ ସେସନ୍ର ଆୟୋଜନ କରାଯାଇଥିବା ବେଳେ ପ୍ରଫେସର ଭଗବାନ ପ୍ରକାଶ, ଶ୍ରୀ ମଧୁସୁଦନ ଦାସ, ସୁଶ୍ରୀ ସରିତା ପଟେଲ୍, ଡକ୍ଟର ରମେଶ ଚନ୍ଦ୍ର ବେହେରା, ପ୍ରଫେସର ଇ. ଭେଙ୍କଟ ରାଓ, ଡାକ୍ତର ସରୋଜ ଚନ୍ଦ୍ର ସାହୁ, ପ୍ରଫେସର (ଡକ୍ଟର) ସୁରଜିତ ସାହୁ ଏବଂ ପ୍ରଫେସର ନଚିକେତା କେ. ଶର୍ମାଙ୍କ ଭଳି ବିଶେଷଜ୍ଞମାନେ ଏନ୍ଏସ୍ଏସ୍, ନେତୃତ୍ୱ, ଜଳବାୟୁ, କୋଭିଡ ମହାମାରୀ ଏବଂ ଟୀକାକରଣ, ସୋସିଆଲ୍ ମିଡିଆର ବ୍ୟବହାର ଓ ଅପବ୍ୟବହାର, ନେତୃତ୍ୱ ବିକାଶରେ ଶିକ୍ଷାର ଭୂମିକା, ମାନସିକ ସ୍ୱାସ୍ଥ୍ୟ ଓ ଚାପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ଶିବିରରେ ବକ୍ତୃତା, ଚିତ୍ରାଙ୍କନ, ରଙ୍ଗୋଲି ଏବଂ ସଂଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ସୋଆର ଯୋଗ ପ୍ରଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର ରଣାଙ୍କ ତତ୍ୱାବଧାନରେ ଯୋଗ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ସନ୍ଧ୍ୟାରେ ପ୍ରତିଯୋଗୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସୋମବାର ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ଷ୍ଟେଟ୍ ଅଫିସର ତଥା ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗର ଉପସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
କ୍ୟାମ୍ପ ଫାୟାର କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା । ପ୍ରୋଗ୍ରାମ ଅଫିସର ଡକ୍ଟର ମଉ ରାୟ, ଶ୍ରୀ ରାକେଶ ଆର୍. ଶତପଥୀ, ଡକ୍ଟର କମଳ ଲୋଚନ ମହନ୍ତ, ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀ ଏବଂ ଡକ୍ଟର କୁମାର୍ ଏସ୍. ଗିରି ପ୍ରମୁଖ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗହଣ କରିଥିଲେ ।