ଫେବୃୟାରୀ ୧୩ରୁ ୧୭ ତହସିଲ ସ୍ତରୀୟ ଜମାକାରୀ ସତ୍ୟାଗ୍ରହ ଓ ଏପ୍ରିଲ ପ୍ରଥମାଦ୍ଧରେ ରାଜ୍ୟସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହ ଅନୁଷ୍ଠିତ
ଭୁବନେଶ୍ୱର, ତା ୩୧/୧/୨୦୧୩: ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ଜମାକାରୀ ଗଣ କନଭେନଶନ ଭୁବନେଶ୍ୱରସ୍ଥିତ ନାଗଭୁଷଣ ଭବନଠାରେ ଅନୁଷ୍ଠିତ ହୋଇ ରାଜ୍ୟ ଓ କେନ୍ଦ୍ର ସରକାର ପଞ୍ଜିସ୍କିମ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରତିଶୃତି ଦେଇ କରିଥିବା ପ୍ରତାରଣାର ଦୃଢ ସମାଲୋଚନ କରାଯାଇଛି । ରାଜ୍ୟ ସରକାର ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାର ପ୍ରତିଶୃତି ଦେଇ ପ୍ରଥମେ ନ୍ୟାୟମୂର୍ତ୍ତି ଆର.କେ. ପାତ୍ର ପରେ ପୁଣି ନ୍ୟାୟମୂର୍ତ୍ତି ମଦନ ମୋହନ ଦାସ କମିଶନ ଦ୍ୱାରା ଆହୂତ ଜମାକାରୀ ସତ୍ୟପାଠର ସମସ୍ତ ଲଫାପା ଖୋଲି ନଥିବା ବେଳେ ୭ଟି ଅନ୍ତରୀଣ ରିପୋର୍ଟ ପରେ କମିଶନ ଉଚ୍ଛେଦ କରିଦେଲେ । ଜମାକାରୀଙ୍କ ସତ୍ୟପାଠ କମିଶନଙ୍କ ଗୋଦାମଘର ନଷ୍ଟ ହେଲା । ଏପରିକି ନ୍ୟାୟମୂର୍ତ୍ତି ମଦନ ମୋହନ ଦାସଙ୍କ ଦ୍ୱାରା ରାଜ୍ୟ ସରକାରଙ୍କଠାରେ ଦାଖଲ ହୋଇଥିବା ୭ଟି ଅନ୍ତରୀଣ ରିପୋର୍ଟ ଭିତ୍ତିରେ ସରକାରଙ୍କ ନିକଟକୁ ଆସିଥିବା ରିପୋର୍ଟ ଜମାକାରୀ ନାମ ତାଲିକା ତହସିଲ ଜରିଆରେ ଯାଞ୍ଚ ଶେଷ କଲେନାହିଁ । ଏବେ ତଦନ୍ତ କମିଶନ ଉଚ୍ଛେଦ ହୋଇଥିବାରୁ ଜମାକାରୀଙ୍କୁ ସିଧାସଳଖ ଭାବେ ସମ୍ପୃକ୍ତ ତହସିଲ ଅନ୍ତଗର୍ତ ପ୍ରତ୍ୟେକ ଜମାକାରୀଙ୍କୁ ଚିହ୍ନଟ କରି ପ୍ରତ୍ୟେକ ଅସାଧୁ କମ୍ପାନୀ ବିରୋଧରେ ପୋଲିସ ଦ୍ୱାରା ମକଦ୍ଧମା ପଞ୍ଜିକରଣ ସହ ସମସ୍ତ ଅସାଧୁ ସଂସ୍ଥାର ସମ୍ପତ୍ତି ଜବତ କରି ତାକୁ ବଜାର ଦରରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ସହ ଖୋଲା ବଜାରରେ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଦାବି କରାଯାଇଛି । ଯେଉଁ କମ୍ପାନୀମାନଙ୍କର ସମ୍ପତ୍ତି ଏପର୍ଯ୍ୟନ୍ତ ଜବତ କରାଯାଇନାହିଁ, ତାହା ତୁରନ୍ତ ଜବତ କରି ଖୋଲା ବଜାରରେ ନିଲାମ କରିବାକୁ ଦାବି କରାଯାଇଛି । ଆଗାମୀ ୧୩ ଫେବୃୟାରୀରୁ ୧୮ ଫେବୃୟାରୀ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରତ୍ୟେକ ତହସିଲ ସ୍ତରରେ ଜମାକାରୀ ଗଣସତ୍ୟାଗ୍ରହ ସହ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟବର ସୁପ୍ରିମକୋର୍ଟ ଓ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିକଟକୁ ଦାବି ପତ୍ର ପ୍ରେରଣ ପାଇଁ ନିଷ୍ପତି କରାଯାଇଛି । ଏପ୍ରିଲ ପ୍ରଥମାଦ୍ଧରେ ରାଜ୍ୟସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଅଛି । ପ୍ରତ୍ୟେକ ତହସିଲକୁ ଯାଞ୍ଚ ପାଇଁ ଯାଇଥିବା ଜମାକାରୀଙ୍କ ତାଲିକା ଫେବୃୟାରୀ ୮ ସୁଦ୍ଧା ପ୍ରତ୍ୟେକ ତହସିଲଦାରଙ୍କଠାରୁ ତହସିଲସ୍ତରୀୟ ନେତୃତ୍ୱ ସଂଗ୍ରହ କରିବେ । ଯେଉଁ ଜମାକାରୀଙ୍କ ତାଲିକା ଯାଇଛି ମାତ୍ର ଯାଞ୍ଚ ସମ୍ଭବ ହୋଇନାହିଁ, ସେହି ତାଲିକା ଆଣି ସମ୍ପୃକ୍ତ ଜମାକାରୀଙ୍କୁ ତହସିଲ ନିକଟରେ ଉପସ୍ଥାପିତ କରାଯିବ । ସେହିଭଳି କେଉଁ ଜିଲ୍ଲାରେ ଜମାକାରୀଙ୍କୁ କେତେ ଟଙ୍କା ଫେରସ୍ତ କରାଯାଇଛି, ସେ ରିପୋର୍ଟ ପ୍ରତ୍ୟେକ ଅତିରିକ୍ତ ଜିଲ୍ଲାପାଳଙ୍କଠାରୁ ଜିଲ୍ଲା ନେତୃତ୍ୱ ସଂଗ୍ରହ କରିବେ । ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଦିନରେ ଥିବା ପ୍ରତ୍ୟେକ ଗ୍ରାମରୁ ଅନ୍ୟୁନ୍ୟ ୧୦ଜଣ ଜମାକାରୀଙ୍କୁ ମଞ୍ଚ ସହ ସଂଯୋଗ ଅଭିଯାନ ଚାଲିବ । ଆସନ୍ତା ୮ ଫେବୃୟାରୀରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁରଠାରେ ଓ ୧୦ ଫେବୃୟାରୀ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଆଜି ଜମାକାରୀ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜମାକାରୀ ଗଣକନଭେନସନରେ ମଞ୍ଚ ଉପଦେଷ୍ଟା ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟନାୟକ ଏବଂ ଶ୍ରୀଯୁକ୍ତ ରବି ଦାସ , ମଞ୍ଚ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ମଞ୍ଚ କର୍ମକର୍ତା ବିଭୁଦତ୍ତ ମିଶ୍ର, ଅଖିଳମୋହନ ଲେଙ୍କା, ଅନୁରାଧା ସୁବୁଦ୍ଧି, ପ୍ରଦୀପ ମହାରଣା, ଚଣ୍ଡାଳ ପ୍ରଧାନ, ଉମେଶ ଚନ୍ଦ୍ର ନାୟକ, ସହର ଜମାକାରୀ ମଞ୍ଚର ନେତା ବିଜୟ କୁମାର ପାଢ଼ୀ, ସଂଜୀବ ପଣ୍ଡା, ମଞ୍ଚର ବିଭିନ୍ନ ଜିଲ୍ଲାର ନେତା ତ୍ରିନାଥ ପଣ୍ଡା, ରମେଶ ମହାନନ୍ଦିଆ, ବରୁଣ ବିଶି, ବାସୁଦେବ ମେହେର, ଉମେଶ ଚନ୍ଦ୍ର ସାହୁ, ସୁଶାନ୍ତ ମହାପାତ୍ର, କିଶୋର ବଗତ୍ତି, ତୀର୍ଥରାମ ରଣା, ରଞ୍ଜନ ସାହୁ, ଦେବରାଜ ବେହେରା, ତପନ କୁମାର ସିଟ, ଅଖିଳ ଚନ୍ଦ୍ର ପପାଲି, ସଦାନନ୍ଦ ଗୁଣ୍ଠା, ଶିବ ପ୍ରସାଦ ପଣ୍ଡା, ଯୁଧିଷ୍ଠିର ମହାରଣା, ସାଇ ବେଶ୍ରା, ଲବ ପୁଟେଲ, ବିଜୟ ସାହୁ, ସ୍ୱରୂପ ଦାସ, ଭାଗିରଥି ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ବକ୍ତବ୍ୟ ଦେଇ ଶେଷ ଜମାକାରୀର ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଜମାକାରୀ ଗଣସତ୍ୟାଗ୍ରହକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ ।