ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ପୁରୁଣା ଦିନ ମନେପକାଇଲେ ରାଷ୍ଟ୍ରପତି । ଏହି ଅବସରରେ ମହାମହିମ କହିଛନ୍ତି, ରମାଦେବୀର କାନ୍ଥ ମୂକସାଖୀ ହୋଇ ମୋତେ ଆହ୍ୱାନ କରୁଛି । ପୁରୁଣା ଦିନର ସ୍ମୃତି ମୋର ସବୁ ମନେପଡୁଛି । ମା ରମାଦେବୀଙ୍କ ପ୍ରତି ସାଦର ସମ୍ମାନ ଜ୍ଞାପନ କରୁଛି । ସେତେବେଳେ ବି ରମାଦେବୀ ଥିଲା ଅନ୍ୟତମ ଶିକ୍ଷାନୁଷ୍ଠାନ । ପାଚେରୀ ବାହାର ଠେଲାଗାଡିରେ ବିକ୍ରି ଲେମ୍ବୁପାଣି ବି ମନେଅଛି । ମୋ ଜୀବନର ଗତିପଥରେ ଏହି ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ।
ସେ ଆହୁରି ମଧ୍ୟ କହିଥିଲେ କି, ସ୍ୱାଧୀନତା ସଂଗ୍ରାମରେ ଭାରତର ଅଗଣିତ ନାରୀ ଅଗ୍ରଣୀ ଥିଲେ । ନାରୀ ସଶକ୍ତିକରଣ ଆଉ ସ୍ଲୋଗାନ ହୋଇ ରହିନି । ବିଭିନ୍ନ କ୍ଷେତ୍ରରେ ଆମ ଝିଅମାନଙ୍କ ଦକ୍ଷତା ପ୍ରମାଣିତ ହୋଇଛି । ମଙ୍ଗଳ ମିଶନରେ ନାରୀ ବୈଜ୍ଞାନିକମାନଙ୍କ ଟିମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ରୀଡା କ୍ଷେତ୍ରରେ ମଧ୍ୟ ଝିଅମାନେ ବହୁତ ଆଗକୁ ଗଲେଣି । ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର, ପ୍ରତିନିଧିତ୍ୱ ଏହାର ଆଧାର । ଭାରତକୁ ବିଶ୍ୱଗୁରୁରେ ପରିଣତ କରିବା ଆମର ଲକ୍ଷ୍ୟ । ଏଥିପାଇଁ ନାରୀଶକ୍ତିକୁ ଆହୁରି ସଶକ୍ତ ହେବାକୁ ପଡିବ । ନାରୀ ଶକ୍ତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ହେଲେ ସବୁ କ୍ଷେତ୍ରରେ ସରକାରଙ୍କ ଉପରେ ଛାଡିଦେଲେ ହେବନି । ନିଜ ଉପରେ ଆସ୍ଥା ରଖିଲେ ହିଁ ଜୀବନ ଯାତ୍ରାରେ ସଫଳ ହେବ ।