ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ବର: ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରଫେସର ସୁରଜିତ ମଜମୁଦାରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସିଟିଜେନ ଫୋରମ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲହଲରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେବାକୁ ଆସିଥିବା ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାରଙ୍କୁ ବାଣୀବିହାରର ଗୋଟିଏ ଗୋଷ୍ଠୀର ଛାତ୍ର ଆକ୍ରମଣ କରାଯାଇଛି। ଆକ୍ରମଣରେ ଆହତ ହୋଇଛନ୍ତି ପ୍ରଫେସର ସୁରଜିତ ମଜମୁଦାର। ଉତ୍କଳ ବିଶ୍ବାବିଦ୍ୟାଳୟର ପିଜି କାଉନସିଲ ଅଡ଼ିଟୋରିୟମରେ ‘ସମ୍ବିଧାନ ଏବଂ ଶିକ୍ଷା‘ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହେଉଥିଲା। ଏହି ଆଲୋଚନାଚକ୍ରରେ ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ବାଣୀବିହାରର ଗୋଟିଏ ଗୋଷ୍ଠୀର ଛାତ୍ର ଏହାକୁ ବିରୋଧ କରିଥିଲେ। ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାର ଦେଶବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଛାତ୍ରମାନେ ତାଙ୍କ ବକ୍ତବ୍ୟକୁ ବିରୋଧ କରିଥିଲେ। ଆଲୋଚନାଚକ୍ରରେ ଉତ୍ତେଜନା ଦେଖାଦେଇଥିଲା ଏବଂ ଏହାକୁ ଅଧାରୁ ବନ୍ଦ କରାଯାଇଥିଲା।

ଆୟୋଜକ ସିଟିଜେନ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଏହି ବାଣୀବିହାର ଛାତ୍ରଗୋଷ୍ଠୀ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି।

ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାର ଆକ୍ରମଣ କରାଯିବା ବେଳର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏନେଇ ସିଟିଜେନ ଫୋରମ ଏବଂ ସମ୍ପୃକ୍ତ ଛାତ୍ରଗୋଷ୍ଠୀ ପକ୍ଷରୁ ପୃଥକ ଭାବେ ସହିଦ ନଗର ଥାନାରେ ଅଭିଯୋଗ କରାଯାଇଛି। ସହିଦ ନଗର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅପରପକ୍ଷରେ ବାଣୀବିହାର ଗୋଟିଏ ଗୋଷ୍ଠୀର ଛାତ୍ର ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାରଙ୍କ ବକ୍ତବ୍ୟକୁ ପ୍ରତିବାଦ କରାଯାଇଥିବା ସ୍ବୀକାର କରିଛନ୍ତି। ଯଦି କେହି ବି ଦେଶ ବିରୋଧରେ ବକ୍ତବ୍ୟ କିମ୍ବା ମନ୍ତବ୍ୟ ଦିଅନ୍ତି ତାହେଲେ ସବୁଠି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଦେଶ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ଏବଂ ତାଙ୍କ ବକ୍ତବ୍ୟରେ କିଛି ତ୍ରୁଟି ରହିଥିଲେ ଆଲୋଚନା ମାଧ୍ୟମରେ ତାହା ସମାଧାନ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାରଙ୍କୁ ଗିରଫ କରାଯିବା ଦାବିରେ ଏବିଭିପି ପକ୍ଷରୁ ବାଣୀବିହାର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି।

ବାଣୀବିହାରରେ ଛାତ୍ର ଅଶାନ୍ତି।
Leave A Reply

Your email address will not be published.