ଭୁବନେଶ୍ୱର, ୨୬/୦୨: ରବିବାର ରାଜ୍ୟ ସରକାର ପ୍ରଶାସନିକସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ପ୍ରଦୀପ ଜେନାଙ୍କୁ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ରେ ସରିବାକୁ ଯାଉଛି। ଏବେ ସୁରେଶଙ୍କୁ ପରବର୍ତ୍ତୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହା ପୂର୍ବରୁ ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରଦୀପଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ମାର୍ଚ୍ଚ ୧ ତାରିଖରେ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ନେବେ। ତା ପରେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବେ। ତେବେ ବର୍ତ୍ତମାନ ପ୍ରଦୀପ ସ୍ୱତନ୍ତ୍ର ରିଲିଫ କମିଶନ ଓ ଉନ୍ନୟନ କମିଶନର ଦାୟିତ୍ୱରେ ସମ୍ଭାଳୁଛନ୍ତି। ସେହିପରି ପ୍ରଦୀପଙ୍କ ସ୍ଥାନରେ ଏସିଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି। ସେ ଜଳ ସମ୍ପଦ ସଚିବ ସହ ଉନ୍ନୟମ କମିଶନର ଭାବରେ ଅନୁ ଗର୍ଗ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।