ମାଲକାନଗିରି, ୦୫/୦୩/୨୩: ମାଲକାନଗିରି ଜିଲ୍ଲାରେ ୫ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ଉଦ୍ୟୋଗୀ ସପ୍ତାହ ପାଳନ କରାଯାଉଛି। ଆଜି ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରେ ସାଧାରଣ ପରିଚାଳକ, ଶ୍ରୀ ତରୁଣ କାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉଦ୍ୟୋଗୀ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମି ଯୋଗ ଦେଇ ଜିଲ୍ଲାରେ ବହୁଳ ଭାବେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା କରି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଶ୍ରୀ ମହାନ୍ତି ଶିଳ୍ପ ନୀତି-୨୦୨୨ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋକପାତ କରିଥିଲେ। ସେଥିରେ ସେ କହିଥିଲେ ଯେ ଏମଏସଏମଇ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଜମି ରିହାତି ଦରରେ ଯୋଗାଇ ଦିଆଯିବା ସହ ପ୍ରିମିୟମ କନଭର୍ସନ ପାଇଁ ୧୦୦ ଶତକଡ଼ା ଛାଡ ଅଛି । ସେହିପରି ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଜମି ପଞ୍ଜୀକରଣରେ ୧୦୦ ପ୍ରତିଶତ ରିହାତି ସହ ବିଦ୍ୟୁତ୍ ସଂଯୋଗିକରଣରେ ୭ ବର୍ଷ ପାଇଁ ୧୦୦ ପ୍ରତିଶତ ଛାଡ ବ୍ୟବସ୍ଥା ରହିଛି। ପାୱାର ଟାରିଫରେ ୨ ଟଙ୍କା ୟୁନିଟ ପିଛା ୭ ବର୍ଷ ପାଇଁ ଛାଡ ରହିଛି। ମୁଖ୍ୟବକ୍ତା ଭାବେ ଡଃ ରଞ୍ଜନ ସ୍ୱାଇଁ ଯୋଗ ଦେଇ, ଯୁବକ ଯୁବତୀ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ। ସେ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ। ଆଜି ଅତିଥିମାନେ ୩୦ ଗୋଟି ଷ୍ଟଲକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟ ଓ ସରକାରୀ ପଲିଟେକନିକ୍ରୁ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ଶ୍ରୀ ଦେବବ୍ରତ ଦାସ, ରବୀନ୍ଦ୍ର ନାଥ କୁଣ୍ଡୁ ଏବଂ ମଧୁସୂଦନ ଦାସ ଯୋଗ ଦେଇଥିଲେ। ସଭା ଶେଷରେ ଆଇପିଓ ଶୁଭଶ୍ରୀ ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.