ମାର୍ଚ୍ଚ ୧୬ରୁ ୧୯ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର ,୧୪/୦୩: ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍ ଲାଇନ୍‌ର ପ୍ରଚଳନ ଏବଂ ଉପକୂଳ ଅଂଚଳକୁ ବଙ୍ଗୋପ ସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏଭଳି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ୧୬ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଉତର ଓ ଉପକୂଳ ଓଡ଼ିଶାରେ ମାର୍ଚ୍ଚ ୧୬ରୁ ୧୮ ତାରିଖ ମଧ୍ୟରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।

ଏହାର ପ୍ରଭାବରେ ମାର୍ଚ୍ଚ ୧୫ ତାରିଖରୁ ଦିନର ତାପମାତ୍ରା କମିବ । ଏପରିକି ମାର୍ଚ୍ଚ ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଡିଗ୍ରୀ ସେଲ୍‌ସିୟସ୍ ରହିବାର ସମ୍ଭାବନା ଥିବାବେଳେ ଏଭଳି ସ୍ଥିତି ମାର୍ଚ୍ଚ ୨୧ ତାରିଖ ଯାଏଁ ଜାରୀ ରହିବ ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.