ଇତିହାସ ରଚିଲା ଗୋପବନ୍ଧୁ ନଗର ବ୍ଳକ: ବ୍ଳକ କାର୍ଯ୍ୟାଳୟରେ ଯଜ୍ଞ; ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ କାର୍ଯ୍ୟାଳୟ ପରିସର ତଥା ବିଡ଼ିଓଙ୍କ ପ୍ରକୋଷ୍ଠ ବାରଣ୍ଡାରେରେ ଆଜି ଅନୁଷ୍ଠିତ ହୋଇଥିବା ଏକ ପୂଜା ପାଠ ଓ ଯଜ୍ଞକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେସ ଚର୍ଚ୍ଚା ଚାଲିଥିବା ଜଣା ପଡ଼ିଛି। ତେବେ ଉକ୍ତ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଉଦ୍ଦେଶ୍ୟ ଜଣା ପଡୁନଥିବା ବେଳେ ଏହା ଏକ ବିଶ୍ୱ ଶାନ୍ତି ଯଜ୍ଞ ବୋଲି ଆୟୋଜକ ମାନେ କହିଛନ୍ତି । ସରକାରୀ କାର୍ଯ୍ୟାଳୟ ପରିସରରେ କେବଳ ସରକାରୀ ଯାଜନା ସଂମ୍ପର୍କୀତ କାର୍ଯ୍ୟକ୍ରମ ହେବା କଥା । ମାତ୍ର କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ବିଡିଓଙ୍କ ପ୍ରକୋଷ୍ଠ ସମ୍ମୁଖ ବାରଣ୍ଡା ସମେତ କାର୍ଯ୍ୟାଳୟ ପରିସରକୁ ବର୍ଣ୍ଣାଢ୍ୟ ପରିବେଶରେ ସୁସଜ୍ଜିତ କରାଯାଇ ଅନୁଷ୍ଠିତ ଏହି ହୋମ ଯଜ୍ଞ କାର୍ଯ୍ୟକ୍ରମକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏବେ ପ୍ରଶ୍ନ ଉଠିଛି ଏହି ଯଜ୍ଞକୁ ନେଇ । ସରକାର ନା ଜିଲ୍ଲା ପ୍ରଶାସନ କାହା ଇଙ୍ଗିତରେ ବ୍ଳକ କାର୍ଯ୍ୟାଳୟ ମଧ୍ୟରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଛି । ଏବଂ ଏକ ସରକାରୀ କାର୍ଯ୍ୟାଳୟରେ ଏଭଳି ଆୟୋଜନ କରି ପ୍ରଶାସନ ଜନସାଧାରଣଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ବିଶ୍ଵ ଶାନ୍ତି ଯଜ୍ଞ ମାନବ କଲ୍ୟାଣ ପାଇଁ ହୋଇଥିବା କୁହାଯାଇଛି । ତେବ ଏହା ଅନ୍ୟତ୍ର କରା ନ ଯାଇ ଏକ ସରକାରୀ କାର୍ଯ୍ୟାଳୟରେ ଏବଂ ସରକାରୀ କାର୍ଯ୍ୟ ଦିବସ ସମୟରେ କାହା ଇଙ୍ଗିତ ଓ କାହା ନିର୍ଦେଶରେ ଅନୁଷ୍ଠିତ ହୋଇଛି । ଏବଂ କାର୍ଯ୍ୟାଳୟ ପରିସରରେ ହେବା ପାଇଁ କିଏ ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀମାନେ । ସୂଚନା ଅନୁଯାୟୀ ଗୋପବନ୍ଧୁ ନଗର ବ୍ଳକ କାର୍ଯ୍ୟାଳୟର ଆଜି କାର୍ଯ୍ୟ ଦିବସ ଥିଲା । ବିଭିନ୍ନ କାର୍ଯ୍ୟ ନେଇ ଜନସାଧାରଣ ମଧ୍ୟ ଆସିଥିବା ଦେଖିବାକୁ ମିଳିଥିଲା । ମାତ୍ର ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ଯଜ୍ଞ ହେଉଥିବା ଦେଖି ଚକିତ ହୋଇପଡିଥିଲେ ଜନସାଧାରଣ । ଏହି ଯଜ୍ଞରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଝୁଲଣ ବାରସାଳିଆଙ୍କ ସମେତ ବିଜେଡ଼ି ଦଳର ବ୍ଳକ ସଭାପତି ସତ୍ୟବାନ ଉପାଧ୍ଯାୟ, ଯୁବ ନେତା ସନାତନ ନାୟକ ଆଦି ସସ୍ତ୍ରୀକ ହୋମ କାର୍ଯ୍ୟ ବା ମଣ୍ଡପରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ଏ କାର୍ଯ୍ୟକ୍ରମ ସଂମ୍ପର୍କରେ ଦାୟିତ୍ୱରେ ଥିବା ଖୁଣ୍ଟା ବ୍ଳକ ବିଡ଼ିଓ ମାନସ ରଞ୍ଜନ ସାମଲଙ୍କ ମତାମତ ଲୋଡ଼ିବାରୁ ସେ ବ୍ଳକ କାର୍ଯ୍ୟାଳୟରେ ଏକ ପୂଜା ହେଉଥିବା କହିଥିଲେ ଏବଂ ସେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ପ୍ରକାଶ କରି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ସେହିପରି ଜିପିଓ ପଞ୍ଚାନନ ମହାପାତ୍ରଙ୍କ ମତାମତ ଲୋଡ଼ିବାରୁ ସେ ଏ କାର୍ଯ୍ୟକ୍ରମ ବାବଦରେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ । ସୂଚନା ଅନୁଯାୟୀ ଏହି ବ୍ଳକରେ ଥିବା ବିଡ଼ିଓ ସଂଗ୍ରାମ କେଶରୀ ଭୋଳ ଗତ ସେପ୍ଟେମ୍ୱର ୧୩ରେ ବଦଳି ହେବା ପରଠାରୁ ସଂପୃକ୍ତ ବ୍ଳକର ଅତିରିକ୍ତ ଦାଇତ୍ଵ ଏବେ ଖୁଣ୍ଟା ବ୍ଳକ ବିଡ଼ିଓ ମାନସ ରଞ୍ଜନ ସାମଲ ତୁଲାଇ ଆସୁଛନ୍ତି । ତେବେ ଶ୍ରୀ ଭୋଳଙ୍କ ସ୍ଥାନାନ୍ତରିତ ହେବା ଇତି ମଧ୍ୟରେ ୭ ମାସ ବିତିଯାଇଛି । ଏବଂ ଏହି ସମୟ ମଧ୍ୟରେ ସରକାରଙ୍କ ପକ୍ଷରୁ ପୃଥକ ପୃଥକ ସମୟରେ ଦୁଇ ଅଧିକାରୀଙ୍କୁ ବିଡ଼ିଓ ଭାବେ ଯୋଗ ଦେବାକୁ ନିର୍ଦେଶନାମା ଜାରି କରାଯାଇଥିଲା । ମାତ୍ର ଅଧିକାରୀମାନେ ଉକ୍ତ ବ୍ଲକରେ କୌଣସି କାରଣରୁ ଉକ୍ତ ବ୍ଳକରେ ଯୋଗ ନ ଦେଇ ପୁନଃ ସେମାନଙ୍କ ନିର୍ଦେଶନାମା ପରିବର୍ତ୍ତନ କରି ଅନ୍ୟତ୍ର ଯୋଗ ଦେଇଛନ୍ତି । ଯାହାକୁ ନେଇ ବ୍ଳକର ରିଷ୍ଟ ଖଣ୍ଡନ ଓ ଅଞ୍ଚଳବାସୀଙ୍କ ଶୁଭ ମନାସି ଏଭଳି ବିଶ୍ଵ ଶାନ୍ତି ଯଜ୍ଞଟି ଆୟୋଜନ କରାଯାଇଥିବା ଜନୈକ ସମର୍ଥକ ନାମ ଗୋପନ ସର୍ତ୍ତରେ ଗଣମାଧ୍ୟକୁ ସୁଚନା ଦେଇଛନ୍ତି । ବ୍ଳକ ଅଧ୍ୟକ୍ଷା ବିଜୟୀ ହେବା ପରେ ଯଜ୍ଞ ପାଇଁ ଏକ ମାନସିକ ରଖିଥିଲେ । ତାହାକୁ ନେଇ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିବା ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଅସିତ କୁମାର ଲେଙ୍କା ବିଭିନ୍ନ ଗଣମାଧ୍ୟମକୁ ସୁଚନା ଦେଇଥିଲେ । ତେବେ ବ୍ଳକ କାର୍ଯ୍ୟାଳୟ ପରିସରରେ ଏଭଳି ଯଜ୍ଞ ଅନୁଷ୍ଠିତ ହେବା ଜିଲ୍ଲା ଇତିହାସରେ ବିରଳ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.