ମାଲକାନଗିରି, ୧୪/୦୪/୨୩: ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଓ ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ଏହି ପରୀପ୍ରେକ୍ଷୀରେ ଏକ ସାଧାରଣ ସଭାର ଆୟୋଜନ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସଭାପତିତ୍ବ କରି କହିଥିଲେ ଯେ ଆଧୁନିକ ଭାରତ ଗଠନରେ ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଓ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ସେ ଏକାଧାରରେ ଶିକ୍ଷା, ସଂଘର୍ଷ ତଥା ସଂଗଠନ ଭଳି ସ୍ଲୋଗାନ ପ୍ରବର୍ତ୍ତନ କରି ସମାଜକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଛନ୍ତି।
ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ କହିଥିଲେ ଯେ ଏକ ସାଧାରଣ ପରିବାରରେ ଜନ୍ମ ନେଇ ଡକ୍ଟର ଆମ୍ବେଦକର ଅସାଧାରଣ ଜ୍ଞାନ ଓ ଦକ୍ଷତାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସମଗ୍ର ବିଶ୍ବରେ ଭାରତର ସମ୍ବିଧାନିକ ବ୍ୟବସ୍ଥାକୁ ଶ୍ରେଷ୍ଠତର ମର୍ଯ୍ୟାଦା ପ୍ରଦାନ କରିପାରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ ବଞ୍ଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଓ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର, ମାଥିଲି, ଶ୍ରୀ ଚନ୍ଦନ କୁମାର ଭୋଇ, ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ଵି ସେଠୀ, ଡେପୁଟି କଲେକ୍ଟର, ଶ୍ରୀ ଧ୍ରୁବ ଚରଣ ମୁଦୁଲି, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ କାହ୍ନୁଚରଣ ପଟ୍ଟନାୟକ, ଶ୍ରୀ ଘନଶ୍ୟାମ ମାଡକାମୀ, ଶ୍ରୀ ଭୁଦେବ ମହାନନ୍ଦିଆ, ଲକ୍ଷ୍ମଣ ଗେରାମୀ, ଶ୍ରୀ ଜାରା ଶବର ମାଢି, ଶ୍ରୀ ପ୍ରଭାକର ହନ୍ତାଲ, ଶ୍ରୀ ସନୁ ଅନୁଗୁଙ୍କ ସମେତ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ।