- ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦିଅ
- ମାନବିକ ଅଧିକାର କର୍ମୀ ଅଖଣ୍ଡ କରିଥିଲେ ମାମଲା
- ୨୦୨୧ ଜାନୁୟାରୀ ୧୦ରେ ଭୁଷୁଡିଥିଲା ପୋଲ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନିର୍ମାଣାଧିନ ବିଜୁ ସେତୁ ଭୁଷୁଡିବା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ । ତେଣୁ ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଲକ୍ଷେ ଟଙ୍କା ଦେବାକୁ ମଧ୍ୟ କମିଶନ କହିଛନ୍ତି।
୨୦୨୧ ଜାନୁୟାରୀ ୧୦ ତାରିଖରେ ନାଗି ନଦୀର ଜାନିଗୁଡା-ତଳପଦର ରାସ୍ତାରେ ବିଜୁ ସେତୁ ଯୋଜନାରେ ହେଉଥିବା ବ୍ରିଜ୍ ଭୁଷୁଡି ମହେନ୍ଦ୍ର ମାଳି ନାମକ ଜଣେ ଶ୍ରମିକ ପ୍ରାଣ ହରାଇଥିଲେ । ଏଥିରେ ପ୍ରକାଶ କାଣ୍ଡି, ରମେଶ ଭୋଇ, ସନ୍ତୋଷ ଭୋଇ ଓ ଅନ୍ୟ ଆଠ ଜଣ ଆହତ ହୋଇଥିଲେ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ ହେବା ଓ ଅନ୍ୟମାନେ ଆହତ ହୋଇଛନ୍ତି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଇନଜୀବୀ ଶ୍ରୀ ଅଖଣ୍ଡ ନୂଆଦିଲ୍ଲୀସ୍ଥ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ୧୧ ତାରିଖରେ ପିଟିସନ୍ ଦାୟର କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ଏବଂ ଆହତମାନଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ । କମିଶନ ଏହି ଘଟଣାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଠାରୁ ଦୁଇ ଥର ରିପୋର୍ଟ ମାଗିଥିଲେ । ସେହି ରିପୋର୍ଟରୁ ଜଣାପଡିଥିଲା ଯେ ଏହି ଘଟଣା ପାଇଁ ସରକାରୀ ଅଧିକାରୀମାନେ ଦାୟୀ । ଘଟଣା ପାଇଁ ଜଣେ ଏଜୁକ୍ୟୁଟିଭ୍ ଇଂଜିନିୟରଙ୍କ ସମେତ ୩ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ତେଣୁ ଏହି ଅବହେଳା ପାଇଁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ଲକ୍ଷେ ଟଙ୍କା କାହିଁକି ଦିଆନଯିବ ସେ ନେଇ ଜବାବ୍ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ୨୮/୦୬/୨୦୨୨ରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ ପୁଣି ୧୭/୧୦/୨୦୨୨ରେ ରିମାଇଣ୍ଡର୍ ଦିଆଯାଇଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବ କୌଣସି ଉତ୍ତର ରଖିନଥିଲେ । ତେଣୁ ୧୧/୦୪/୨୦୨୩ରେ ହୋଇଥିବା ଶୁଣାଣିରେ କମିଶନ ଏହି କ୍ଷତିପୂରଣ ରାଶି ଦେବା ଲାଗି ଚୁଡାନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁନ୍ ୨ ତାରିଖ ସୁଦ୍ଧା ଏହି କ୍ଷତିପୂରଣ ରାଶି ପ୍ରଦାନ ହୋଇଥିବାର ପ୍ରମାଣ କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । କମିଶନଙ୍କ ନିର୍ଦ୍ଦେଶକୁ ମାନି ସରକାର କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ଆବେଦନକାରୀ ଅଖଣ୍ଡ ଆଶା ରଖିଛନ୍ତି ଏବଂ ଏହି ଘଟଣା ପାଇଁ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।