ସୋଆରେ ୮ଟି ଦେଶର ପ୍ରତିନିଧି: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଲେ ଉପଲବ୍ଧି

ଭୁବନେଶ୍ୱର, ୧୭/୦୪: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି ସେ ସମ୍ପର୍କରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ସହଭାଗିତାରେ ଓଡ଼ିଶା ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଯୋଗାଇ ଦିଆଯାଇଛି ।

ସୋମବାର ଏହି ପ୍ରତିନିଧିମାନେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିଥିବା ବେଳେ ଓଡ଼ିଶାରେ ଫାଇଲିନ୍‌, ତିତିଲି ଓ ଫନି ଭଳି ବାତ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର କିଭଳି ଏହାର ମୁକାବିଲା କରିବା ସହ ଧନ ଜୀବନହାନୀ ହେବାରୁ ରକ୍ଷା କରିଛନ୍ତି ସେ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କ ସମ୍ମୁଖରେ ତଥ୍ୟ ରଖିଥିଲେ ।

ସେହିପରି ସୋମବାର ସକାଳେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମି ମଧ୍ୟ ବୁଲି ଦେଖିଥିଲେ । ହଠାତ୍ ନିଆଁ ଲାଗିଲେ କିଭଳି ଏଭଳି ପରିସ୍ଥିତିରୁ ଧନ ଜୀବନ ରକ୍ଷା କରିହେବ ଓ ଅଗ୍ନି ନିରାପତା ବ୍ୟବସ୍ଥା ସମ୍ପର୍କରେ ଓଡ୍ରାଫର ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

WITH OFDRA TEAM

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍‌( ଆଇସିସିଆର୍‌) ଓ ‘ଜେନ୍‌- ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି । ସେମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି ।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋଏସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଏହି ଟିମ୍‌ରେ ସାମିଲ ଅଛନ୍ତି । ସୋମବାର ସନ୍ଧ୍ୟାରେ ସେମାନେ ଓଡ଼ିଶାରୁ ଫେରିଯାଇଛନ୍ତି ।

Leave A Reply

Your email address will not be published.