ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ତହସିଲ ଅନ୍ତର୍ଗତ ଭୋଗପୁର ଗ୍ରାମରୁ ସନ୍ଧାନ ମିଳିଛି ଏକ ଅତି ପ୍ରାଚୀନ କାରୁକାର୍ୟ୍ୟପୂର୍ଣ୍ଣ ପ୍ରସ୍ଥର ମଣ୍ଡପ। ଇନ୍ଟାକ ଓଡିଶା ଶାଖା, ହେରିଟେଜ ଆଣ୍ଡ କଲଚର କ୍ଲବ ଅଫ ଆଇଆଇଟିଟିଏମ୍, ଭୁବନେଶ୍ୱର ତଥା ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନଙ୍କ ମିଳିତ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ପୁରାତନ କାରୁକାର୍ୟ୍ୟପୂର୍ଣ୍ଣ ମଣ୍ଡପଟିକୁ ଖୋଜି ବାହାର କରିଛନ୍ତି। ବିଶ୍ୱଐତିହ୍ୟ ଦିବସ ତଥା ଜି-୨୦ ଜନ ଭାଗିଦାରୀ କାର୍ୟ୍ୟକ୍ରମ ଅନ୍ତର୍ଗତ ଏହି କାର୍ୟ୍ୟକ୍ରମରେ ଆଇଆଇଟିଟିଏମ୍ ସଂସ୍ଥାର ୨୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଅନେକ ଐତିହାସିକ, ସଂସ୍କୃତିପ୍ରେମୀ ତଥା ସ୍ଥାନୀୟ ଅଧିବାସୀ ଯୋଗ ଦେଇଥିଲେ। ’ପବନଖିଆ ମଣ୍ଡପ’ ବା ’ଗଜସିଂହ ମଣ୍ଡପ’ ରୂପେ ଜଣାଶୁଣା ଏହି ମଣ୍ଡପ ଉପରେ ବସି ଗଙ୍ଗବଂଶୀୟ ସମ୍ରାଟ ଲାଙ୍ଗୁଳା ନରସିଂହ ଦେବ ବିଶ୍ରାମ ନେବା କଥା ଲୋକକଥା ରହିଛି। ନିଜର ରାଜକୀୟ ହାତୀପିଠିରେ ବସି, ଏହି ମଣ୍ଡପ ଉପରେ ଓହ୍ଲାଇ ବିରାଜମାନ କରୁଥିଲେ ଗଙ୍ଗବଂଶର ଏହି ମହାନ ସମ୍ରାଟ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ ପ୍ରାୟ ୧୫ ଫୁଟ ଉଚ୍ଚତା ଓ ୧୫ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି ବର୍ଗାକାର ମଣ୍ଡପଟି ମାଙ୍କଡ଼ା ପଥର ଓ ଖୋଣ୍ଡାଲାଇଟ ପ୍ରସ୍ତର ଦ୍ୱାରା ନିର୍ମିତ। ଏହି ମଣ୍ଡପ ଉପରକୁ ଯିବା ପାଇଁ କୋୖଣସି ପାହାଚ କିମ୍ବା ରାସ୍ତା ନାହିଁ। ତେଣୁ ସ୍ଥାନୀୟ ଲୋକକଥା ଯାହା ରାଜା ହାତୀପିଠିରେ ବସି ମଣ୍ଡପ ଉପରେ ଓହ୍ଲାଉଥିଲେ ତାହା ପ୍ରାୟ ସତ୍ୟ ପ୍ରତୀୟମାନ ହୁଏ। ଏହି ମଣ୍ଡପ ନିକଟରେ ଥିବା ଏକ ଦେବୀ ମନ୍ଦିରର ଭଗ୍ନାବଶେଷ ତଥା ଅଳ୍ପ ଦୂରରେ ଥିବା କଖରା ଶୈଳୀରେ ନିର୍ମିତ ଦକ୍ଷିଣଚଣ୍ଡୀଙ୍କ ମନ୍ଦିରରେ ଏକ ପ୍ରସ୍ତର ଅଭିଲେଖରୁ ନରସିଂହ ଦେବଙ୍କ ନାମ ଉତ୍ତକୀର୍ଣ୍ଣ ହୋଇଥିବା ଜଣାଯାଏ। ଗଙ୍ଗବଂଶ ଓ ଭୋଇବଂଶରେ ଏକାଧିକ ନରସିଂହ ଦେବ ନାମଧାରୀ ରାଜା ଶାସନ କରିଥିବାରୁ ଏହି ଅଭିଲେଖ ଉପରେ ଅଧିକ ଗବେଷଣା ଆବଶ୍ୟକ। ତେବେ ମଣ୍ଡପର ସୂକ୍ଷ୍ମ ପ୍ରସ୍ତର କାରୁକାର୍ୟ୍ୟ, ଗଜାକ୍ରାନ୍ତ ସିଂହ, ମୈଥୁନ ମୂର୍ତ୍ତି ତଥା ପୁଷ୍ପଲତାର ଚିତ୍ରଣରୁ ଏହା ପ୍ରାୟ ୬୦୦ରୁ ୭୦୦ ବର୍ଷ ତଳେ ନିର୍ମିତ ହୋଇଥିବା ଶ୍ରୀ ନାୟକ ଅନୁମାନ କରିଛନ୍ତି।
ଇନ୍ଟାକ ଓଡ଼ିଶାର ସହ-ଆବାହକ ତଥା ଐତିହାସିକ ଶ୍ରୀ ଅନିଲ ଧୀର ମତ ଦେଇଛନ୍ତି ଯେ ଏପରି ଏକ ଐତିହ୍ୟ ଓଡ଼ିଶାରେ ବିରଳ। ଜଣେ ରାଜାଙ୍କ ବସିବା ପାଇଁ ଏପରି ମୁକ୍ତାକାଶ ମଣ୍ଡପ ବା ସିଂହାସନ ଓଡ଼ିଶାରେ ଆମେ ଅନ୍ୟ କେଉଁଠି ଦେଖିନାହୁଁ। ତେବେ ଏହି ମଣ୍ଡପଟି ବର୍ତ୍ତମାନ ଅବହେଳିତ ଅବସ୍ଥାରେ ରହିଛି। ମଣ୍ଡପର ବିଭିନ୍ନ ଅଂଶରୁ କାରୁକାର୍ୟ୍ୟପୂର୍ଣ୍ଣ ପଥର ଖସିପଡୁଛି, କିଛି ମୂର୍ତ୍ତି ମଧ୍ୟ କୁଆଡେ ଗାଏବ ହୋଇଗଲାଣି। ରାଜ୍ୟପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ଏହାକୁ ଏକ ଐତିହାସିକ ସ୍ଥାନର ମାନ୍ୟତା ଦେବାର ଆବଶ୍ୟକତା ରହିଛି।
ଆଇଆଇଟିଟିଏମ୍ର ସହକାରୀ ପ୍ରଫେସର ଡ଼. ଆଦ୍ୟାଶା ଦାସ ପ୍ରକାଶ କରିଛନ୍ତି ଯେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଇତିହାସ ଓ ଐତିହ୍ୟ ପାଇଁ ସଚେତନତା କରିବା ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ। ଭାରତର ପ୍ରତ୍ୟେକ ଗ୍ରାମରେ ଏପରି ଲୁକ୍କାୟିତ ଐତିହ୍ୟ ସବୁ ରହିଛି। ସ୍ଥାନୀୟ ଅଧିବାସୀ ନିଜ ଅଞ୍ଚଳର ଐତିହାସିକ ବିଭବ ସବୁ ପାଇଁ ଗର୍ବିତ ହେବା ସହ ସେସବୁର ସୁରକ୍ଷା ଓ ପ୍ରଚାର ପ୍ରସାର କରିବା ଦିଗରେ ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ। ପ୍ରାଚୀନ ଗଜସିଂହ ମଣ୍ଡପର ପୁନରୁଦ୍ଧାର ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିବୁ ବୋଲି ଡ଼. ଦାସ କହିଥିଲେ।