ନୂଆଦିଲ୍ଲୀ: କଂଗ୍ରେସ ଦଳ ମାଟିରେ ମିଶିଗଲାଣି… କଂଗ୍ରେସ ନିଜର ଅସ୍ତିତ୍ବ ହରାଇ ବସିଛି… ମୁହଁମାଡି ପଡ଼ିଯାଇଥିବା କଂଗ୍ରେସ ଆଉ ଉଠିପାରିବ ନାହିଁ…ବିରୋଧୀଙ୍କ ଏଭଳି ଅନେକ ସମାଲୋଚନାର ଜବାବ ଆଜି ଦେଇଛି କଂଗ୍ରେସ। କର୍ଣ୍ଣାଟକରେ କ୍ଷମତାରେ ଥିବା ବିଜେପିକୁ ହରାଇ କଂଗ୍ରେସ ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ମୁହଁ ବନ୍ଦ ହୋଇଯାଇଛି। କଂଗ୍ରେସର ଏହି ବିଜୟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା, ମଲ୍ଲିକାର୍ଜୁନ ଖଡଗେ ଓ ଡିକେ ଶିବକୁମାରଙ୍କ ଭଳି ବଡ ବଡ ନେତାଙ୍କ ହାତ ଥିବା କୁହାଯାଉଥିବା ବେଳେ ଏବେ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି। ସେହି ବ୍ୟକ୍ତିଜଣକ ହେଉଛନ୍ତି ସୁନୀଲ କାନୁଗୋଲୁ।
ସୁନୀଲ କାନୁଗୋଲୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହଯୋଗୀ ଥିଲେ। ଗତବର୍ଷ କଂଗ୍ରେସ ସହ ହାତ ମିଳାଇବା ପରେ ସୁନୀଲଙ୍କୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯାଇଥିଲା। ଏହି ଦାୟିତ୍ବ ମିଳିବା ପରେ ଯେଉଁ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିର୍ବାଚନ ଜିତାଇ କ୍ଷମତା ଦେଇଥିଲେ ସେ କଂଗ୍ରେସକୁ ସରକାର ଗଠନ କରିବାରେ ସାହାଯ୍ୟ କରିବାକୁ ସକ୍ଷମ ହେବେ କି? ବୋଲି ପ୍ରଶ୍ନ ଉଠିଥିଲା। ଆଜି ନିର୍ବାଚନ ଫଳାଫଳ ଆସିବା ପରେ ସେ ସବୁ ପ୍ରଶ୍ନର ଉତ୍ତର ମିଳିଛି। ଅସ୍ତିତ୍ବ ହରାଇ ବସିଥିବା କଂଗ୍ରେସ ମଧ୍ୟରେ ପୁଣି ଥରେ ଜୀବନ ଭରିଛନ୍ତି ସୁନୀଲ।
ନିର୍ବାଚନ ସମୟରେ ହିଁ ସୁନୀଲ କଂଗ୍ରେସ ପାଇଁ ଲଗାତାର ରଣନୀତି ପ୍ରସ୍ତୁତ କରୁଥିଲେ । ବିଜେପି ପକ୍ଷରୁ ଦିଆଯାଉଥିବା ଭାଷଣର କାଉଣ୍ଟର ଏଜେଣ୍ଡା ପ୍ରସ୍ତୁତ କରିବା ସହିତ କେମିତି କଂଗ୍ରେସ ସାଧାରଣ ଲୋକଙ୍କ ନିକଟତର ହେବ, ସେନେଇ ଯୋଜନା ପ୍ରସ୍ତୁତ କରୁଥିଲେ ସୁନୀଲ କାନୁଗୋଲୁ । ତେଣୁ କଂଗ୍ରେସର ଏହି ବିଜୟ ପଛରେ ସେ ହିଁ ଅସଲ ନାୟକ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ୟୁପି ବିଧାନସଭା ନିର୍ବାଚନ ସମୟରେ ସେ ବିଜେପି ପାଇଁ କାମ କରିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ଡିଏମକେ ଏବଂ ୨୦୨୧ ବିଧାନସଭା ନିର୍ବାଚନ ବେଳେ ଏଆଇଏଡିଏମକେ ପାଇଁ କାମ କରିଥିଲେ । ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅନୁପସ୍ଥିତିରେ ସେ ଏଆଇଏଡିଏମକେ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲେ, ଆଉ ଦଳ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା ।
କର୍ଣ୍ଣାଟକର ମୂଳ ନିବାସୀ ସୁନୀଲ କାନୁଗୋଲୁ ନିଜ ପରିବାର ସହ ଚେନ୍ନାଇରେ ରହନ୍ତି । ତେବେ ଏକ ସାଧାରଣ ପରିବାରରୁ ଆସି ସେ କଂଗ୍ରେସକୁ ଆଜି ଭେଟି ଦେଇଛନ୍ତି ବଡ ବିଜୟ । ଏହା ପୂର୍ବରୁ ସେ ଭାରତ ଯୋଡ ଯାତ୍ରାର ମଧ୍ୟ ରଣନୀତିକାର ରହିଥିଲେ । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଏହି ଯାତ୍ରାର ସୁନୀଲ ରଣନୀତି ପ୍ରସ୍ତୁତ କରିବା ସହିତ ଏହାକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୁନୀଲ କାନୁଗୋଲୁ ଆଗାମୀ ଦିନରେ ମଧ୍ୟ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।
ପ୍ରଶାନ୍ତ କିଶୋରଙ୍କ ସହ କାମ କରିଛନ୍ତି ସୁନୀଲ
ଖାସ୍ କଥା ହେଉଛି, ଚର୍ଚ୍ଚିତ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ମଧ୍ୟ କାମ କରିସାରିଛନ୍ତି ସୁନୀଲ । ୨୦୧୪ ପୂର୍ବରୁ ସେ ପ୍ରଶାନ୍ତ କିଶୋରଙ୍କ ସହ କାମ କରିଥିଲେ । ବିଜେପି ପାଇଁ କାମ କରିବା ସହିତ ୟୁପି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ସେ ନିର୍ବାଚନୀ ଅଭିଯାନରେ ସାମିଲ ହୋଇଥିଲେ । ଏହି ସବୁ ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିଥିଲା ।
କର୍ଣ୍ଣାଟକର ମୂଳ ନିବାସୀ ସୁନୀଲ କାନୁଗୋଲୁ ନିଜ ପରିବାର ସହ ଚେନ୍ନାଇରେ ରୁହନ୍ତି । ତେବେ ଏକ ସାଧାରଣ ପରିବାରରୁ ଆସି ସେ କଂଗ୍ରେସକୁ ଆଜି ଭେଟି ଦେଇଛନ୍ତି ବଡ ବିଜୟ । ଏହା ପୂର୍ବରୁ ସେ ଭାରତ ଯୋଡ ଯାତ୍ରାର ମଧ୍ୟ ରଣନୀତିକାର ରହିଥିଲେ । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଏହି ଯାତ୍ରାର ସୁନୀଲ ରଣନୀତି ପ୍ରସ୍ତୁତ କରିବା ସହିତ ଏହାକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୁନୀଲ କାନୁଗୋଲୁ ଆଗାମୀ ଦିନରେ ମଧ୍ୟ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।