୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା ହୋଇଛି।  ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ଗୁରୁବାର ସକାଳ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ।

ଏନେଇ ଅଧିକ ସୂଚନା ଦେଇ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଦିନ ୧୨ଟା ସୁଦ୍ଧା ସମସ୍ତେ ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ୱେବସାଇଟରୁ ବି ଫଳ ଜାଣିପାରିବେ ଛାତ୍ରଛାତ୍ରୀ। www.bseodisha.ac.in ବୋର୍ଡ ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଏହାସହିତ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ଏଥର ୫ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥର ପରୀକ୍ଷାଫଳକୁ ତ୍ରୁଟିଶୂନ୍ୟ କରିବା ଲାଗି ପ୍ରୟାସ କରାଯାଇଛି।

ସୂଚନାଯୋଗ୍ୟ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା।

ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।

Leave A Reply

Your email address will not be published.