ମାଲଗାଡ଼ି ମାଡ଼ିଯିବା ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

ଯାଜପୁର/ଭୁବନେଶ୍ବର: ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନ୍‌ ନିକଟ ଚୁନଭାଟି ଠାରେ ଆଜି ସନ୍ଧ୍ୟା ସମୟରେ ଟ୍ରେନ୍‌ ମାଡ଼ିଯିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ଯାଜପୁର ଜିଲ୍ଲା କୋରୋଇ ବ୍ଲକର ବାଲିଆପାଳ ଗାଁର ଭୀମସେନା ଜେନା, ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା, ଗମାରିଆର ଗୌତମ ସାମଲ, ମାନସ ସାମଲ ଓ ଗୋସଳାର ଦଳଗୋବିନ୍ଦ ପ୍ରଧାନ। ନବଘନ ବାରିକ ଓ ଅମର ସାହୁଙ୍କୁ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ରହି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୫ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି।

ତେଣେ ପୂର୍ବତଟ ରେଳ ପକ୍ଷରୁ କହାଯାଇଛି କି,  ରେଳ କାର୍ଯ୍ୟ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିୟୋଜିତ କେତେକ ଚୁକ୍ତିଭିତ୍ତିକ ଶ୍ରମିକ ଯାଜପୁର-କେନ୍ଦୁଝରରୋଡ ନିକଟରେ ପବନ ଏବଂ ବର୍ଷା ଠାରୁ ରକ୍ଷା ପାଇବା ପାଇଁ ରଖାଯାଇଥିବା ଏକ ମାଲଗାଡ଼ି ରେକ୍ ତଳେ ଆଶ୍ରୟ ନେଇଥିଲେ | ଆଜି ପ୍ରବଳ ବଜ୍ରପାତ ହେତୁ  ଇଞ୍ଜିନ ଲାଗି ନଥିଲେ ବି ରେକ୍ ଗଡ଼ିଯାଇଥିଲା। ଏହି ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ପରେ ରେଳବାଇ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା ଡିଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି।

Leave A Reply

Your email address will not be published.