ଭୁବନେଶ୍ୱର: ମାତ୍ର ୧୧ ମାସ ପୂର୍ବରୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ମନ୍ତ୍ରୀ ପଦ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଗତ ଦୁଇଦିନ ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ସୁଧାକର ନାଏକଙ୍କୁ ସରକାର ପ୍ରତ୍ୟାହାର କରିନେଇଥିଲେ ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ କରିଥିବା ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଇତିମଧ୍ୟରେ ଅନୁମୋଦନ କରିବା ସହ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନ ଆଧାରରେ ରୋହିତ ପୂଜାରୀଙ୍କ ନେତୃତ୍ୱାଧୀନ ଉଚ୍ଚ ଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠୁ ଖରାପ ଥିବାରୁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଉଛି । ମାତ୍ର ଶ୍ରୀ ପୂଜାରୀ ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ଓ ଗତବର୍ଷ ଜୁନ୍ ୫ତାରିଖରେ ବିଭାଗର ଦାୟିତ୍ୱ ନେଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ବିଭାଗର ସମୀକ୍ଷା ଚଳିତ ବର୍ଷ ମେ’ ୨୫ ତାରିଖରେ କରିବା ସମୟରେ ଉଚ୍ଚ ଶିକ୍ଷା ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ । କିନ୍ତୁ ଅଚାନକ ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ ବିଭାଗର କାର୍ଯ୍ୟର ପ୍ରଦର୍ଶନର ଆଳ ଦିଆଯିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ’ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଯାଇ ଫେରିବା ପରେ ହିଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ନିଷ୍ପତ୍ତି ନିଆଯାଇ ସାରିଥିଲା । ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ଶୁଭାରମ୍ଭ ଓ ସେଠାରେ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗ ଦେବା ଚୂଡ଼ାନ୍ତ ସରିଥିବାରୁ ସେ ସିଙ୍ଗାପୁରରୁ ଫେରିବାକୁ ଅପେକ୍ଷା କରାଯାଇଥିଲା । ଶ୍ରୀ ପୂଜାରୀ ଓଡ଼ିଶା ଫେରିବା ପରଦିନ ହିଁ ତାଙ୍କର ବ୍ୟକ୍ତିଗତ ସଚିବ ସୁଧାକର ନାଏକଙ୍କୁ ଜୁନ୍ ୭ ତାରିଖ ଅପରାହ୍ନରୁ ପ୍ରତ୍ୟାହାର କରି ନିଆଯାଇଥିଲା ଓ ଶ୍ରୀ ନାଏକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଶ୍ରୀ ପୂଜାରୀ ଗତ ଜୁନ୍ ୩ରୁ ୬ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ଯାଇ ସେଠାରେ ଥିବା ଓଡ଼ିଆ ସମାଜକୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରିବାର ୨୪ ଘଣ୍ଟା ନପୁରୁଣୁ ତାଙ୍କୁ ମନ୍ତ୍ରୀ ପଦରୁ ବାଦ୍ ଦେବା ପାଇଁ ରାଜଭବନକୁ ସୁପାରିଶ କରାଯାଇ ସାରିଥିଲା ।
ସମ୍ବଲପୁରରେ ବିଜେଡି ସଂଗଠନ ଭଲ ସ୍ଥିତିରେ ନଥିବା, ୬୦ବର୍ଷରୁ ଅଧିକ ବ୍ୟକ୍ତି ନିର୍ବାଚନ ନଲଢ଼ିବା ପାଇଁ ରୋହିତଙ୍କ ବୟାନ ଦେବା ଏବଂ ବିଶେଷକରି ରୋହିତ ଏବେ ବିଜେପି କ୍ୟାମ୍ପ ସହ ଯୋଗାଯୋଗରେ ଥିବାର ଚର୍ଚ୍ଚା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ସୂଚନା ଥାଉକି ଗତ କିଛିଦିନ ତଳେ ମନ୍ତ୍ରୀମଣ୍ଡଳର ବଡଧରଣର ଅଦଳବଦଳ ହୋଇଥିଲା । ରାଜ୍ୟ ମନ୍ତ୍ରୀମଣ୍ଡଳରେ ୪ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଏମିତିକି ବାଚସ୍ପତି ପଦରୁ ବି ଇସ୍ତଫା ଦେଇଥିଲେ ବିକ୍ରମ ଆରୁଖ । ତେବେ ସବୁ କଳ୍ପନା ଜଳ୍ପନାରେ ଅନ୍ତ ଘଟାଇ ମେ ୨୨ରେ ଶପଥ ନେଇଥିଲେ ରାଜ୍ୟର ୩ ନୂଆ ମନ୍ତ୍ରୀ ।
ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ଶପଥ ଗ୍ରହଣ ପରେ ତିନି ଜଣଙ୍କୁ ବିଭାଗ ବି ବଣ୍ଟନ କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିଭଳି ଶାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପଟେ କିଏ ହେବେ ବିଧାନସଭାର ନୂଆ ବାଚସ୍ପତି । ବିକ୍ରମ କେଶରୀ ଆରୁଖ ବାଚସ୍ପଚି ପଦରୁ ଇସ୍ତଫା ଦେଇଥିଲେ । ରେସରେ ଅଛନ୍ତି ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା ପ୍ରମୁଖଙ୍କ ନାଁ । ଏସବୁ ଆକଳନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ମନ୍ତ୍ରୀ ପଦ ଦେବେ ତାଉପରେ ସମସ୍ତଙ୍କର ନଜର ରହିଛି ।