ନୂଆଦିଲ୍ଲୀ: ବାର୍ଷିକ ‘ଟ୍ରୁପିଙ୍ଗ୍ ଦି କଲର୍ ପରେଡ୍’ ପାଇଁ ଶନିବାର ଦିନ ଯୁବରାଜ ୱିଲିୟମସ୍ଙ୍କ ଆଗରେ ଚୂଡ଼ାନ୍ତ ‘ରିହର୍ସେଲ୍’ (ଅଭ୍ୟାସ) ଚାଲିଥିବା ବେଳେ ୩ଜଣ ବ୍ରିଟିସ୍ ସୈନିକ ଅଚେତ ହୋଇ ପଡ଼ିଯାଇଥିବା କଥା ‘ଫକ୍ସ୍ ନିଉଜ୍’ ରିପୋର୍ଟ କରିଛି।
ସଂଗୃହୀତ ସୂଚନା ଅନୁସାରେ, ସମ୍ପ୍ରତି ଲଣ୍ଡନ୍ର ତାପମାତ୍ରା ପ୍ରାୟ ୩୦ ଡିଗ୍ରି ସେଲ୍ସିୟସ୍ ଥିବା ବେଳେ ସୈନିକମାନେ ପଶମ ‘ଟ୍ୟୁନିକ’ (ଉଲ୍ରେ ନିର୍ମିତ ଲମ୍ବା ଓ ଢିଲା ପୋଷାକ) ଏବଂ ଭାଲୁଛାଲରେ ନିର୍ମିତ ଟୋପି ପିନ୍ଧିଥିଲେ।
ଟୁଇଟ୍ କରି ଯୁବରାଜ ୱିଲିୟମ୍ସ୍ ଲେଖିଛନ୍ତି, ଗରମରେ ଆଜି ସକାଳେ ‘କର୍ଣ୍ଣେଲ୍ସ୍ ରିଭ୍ୟୁ’ରେ ଭାଗ ନେଇଥିବା ପ୍ରତ୍ୟେକ ସୈନିକଙ୍କୁ କୃତଜ୍ଞତା ଜଣାଉଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ତୁମ୍ଭେମାନେ ବାସ୍ତବିକ ଭଲ ପ୍ରଦର୍ଶନ କରିଛ। ଧନ୍ୟବାଦ।
ପରବର୍ତ୍ତୀ ଟୁଇଟ୍ରେ ସେ ଲେଖିଛନ୍ତି, ଏଭଳି ଏକ କାର୍ଯ୍ୟକ୍ରମ ଲାଗି କଠିନ ଶ୍ରମ ଓ ପ୍ରସ୍ତୁତିରେ, ବିଶେଷ କରି ଆଜି ଭଳି ପାଗରେ ଯେଉଁମାନେ ଭାଗ ନେଇଥିଲେ ସମସ୍ତ ଶ୍ରେୟ ସେମାନଙ୍କର।
ଇଂଲଣ୍ଡ୍ର ରାଜା ବା ରାଣୀଙ୍କର ଆନୁଷ୍ଠାନିକ ଜନ୍ମଦିନ ଅବସରରେ ପ୍ରତିବର୍ଷ ଜୁନ୍ ମାସରେ ‘ଟ୍ରୁପିଙ୍ଗ୍ ଦି କଲର୍ ପରେଡ୍’ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଜୁନ୍ ୧୭ ତାରିଖରେ ରାଜା ତୃତୀୟ ଚାର୍ଲସ୍ ଏହି ଉତ୍ସବ ଆୟୋଜନ କରିବେ।
ଉଲ୍ଲେଖଯୋଗ୍ୟ, ଚେତା ହରାଇ ପଡ଼ିଯାଇଥିବା ବ୍ରିଟିସ୍ ସେନାର ଏହି କାହାଳୀ ବାଦକମାନେ ପୁଣି ଉଠିପଡ଼ି କାହାଳୀ ବଜାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ, ତୁରନ୍ତ ଡାକ୍ତରମାନେ ଆସି ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରିଥିଲେ।
ଇଂଲଣ୍ଡର୍ ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ଦକ୍ଷିଣ ଇଂଲଣ୍ଡ୍ ପାଇଁ ଗ୍ରୀଷ୍ମପାଗ ସତର୍କ ସୂଚନା ଜାରି କରିଥିବା କଥା ‘ବିବିସି ନିଉଜ୍’ ରିପୋର୍ଟ କରିଛି।