ଆଇଏଏସଙ୍କୁ ଛୁଇଁବାକୁ ଡର ?

  • ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ଆଇଏଏସ ବାବୁଙ୍କୁ ଛୁଇଁବାକୁ ଡର ?
  • ୨୨ ବର୍ଷରେ ୪୫ ଆଇଏଏସଙ୍କ ବିରୋଧରେ ମିଳିଛି ଦୁର୍ନୀତି ଅଭିଯୋଗ
  • ତଦନ୍ତ ପରେ ୪୫ ଆଇଏଏସଙ୍କ ବିରୋଧରେ ମୋକଦ୍ଦମା କରିବାକୁ ଚାହିଁଛି ଭିଜିଲାନ୍ସ
  • ହେଲେ ୨୮ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇନାହାନ୍ତି ସରକାର

ଭୁବନେଶ୍ୱର: ଦୁର୍ନୀତିରେ ସଂଶ୍ଳିଷ୍ଟ ଆଇଏଏସ ବାବୁଙ୍କୁ ଧରିବାକୁ ଡରୁଛନ୍ତି କି ରାଜ୍ୟ ସରକାର ? ଆଇଏଏସ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି ପ୍ରମାଣ ଦେଲା ପରେ ବି କୋର୍ଟରେ ମୋକଦ୍ଦମା କରିବା ପାଇଁ ଭିଜିଲାନ୍ସକୁ ଅନୁମତି ଦେଉନାହାନ୍ତି ରାଜ୍ୟ ସରକାର। ନବୀନ ବାବୁଙ୍କ ୨୨ ବର୍ଷର ଶାସନରେ କ୍ଷମତାର ଶୀର୍ଷରେ ଥିବା ଆଇଏଏସ୍ ଅଫିସରଙ୍କୁ ଧରିବାକୁ ସରକାର ଯେମିତି ଡରୁଥିବା ଦେଖାଯାଉଛି। କାରଣ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଦେଖିଲେ, ଗତ ୨୨ ବର୍ଷରେ ୪୫ ଜଣ ଆଇଏଏସ ଅଫିସରଙ୍କ ବିରୋଧରେ କୋର୍ଟରେ ମୋକଦ୍ଦମା କରିବା ପାଇଁ ବା ଚାର୍ଜସିଟ ଦାଖଲ ପାଇଁ ଭିଜିଲାନ୍ସ ଅନୁମତି ମାଗିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଏଥିରୁ ୨୮ ଜଣ ଆଇଏଏସଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇନାହିଁ। ସରକାର ୧୭ ଜଣ ଆଇଏଏସଙ୍କ କ୍ଷେତ୍ରରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇଥିବା ବେଳେ ବାକି ୨୮ ଜଣଙ୍କ କ୍ଷେତ୍ରରେ କାହିଁକି ଅନୁମତି ଦେଲେ ନାହିଁ ତାହା ପ୍ରଶ୍ନ ସୃଷ୍ଟି କରୁଛି।

ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ କହିଛନ୍ତି, ଭିଜିଲାନ୍ସ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାମ କରିଥାଏ। ଆଇଏଏସ୍ ଅଫିସରଙ୍କ ବିରୋଧରେ ଆସିଥିବା ଭିଜିଲାନ୍ସ ନୋଟକୁ ମୁଖ୍ୟସଚିବ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବା କନସେଣ୍ଟ ପାଇଁ ପଠାଇଥାନ୍ତି। କେବଳ ମୁଖ୍ୟମନ୍ତ୍ରୀ ଏହି ଫାଇଲ୍ ଖୋଲିବା କଥା। ମାତ୍ର ଘରୋଇ ସଚିବଙ୍କ ଭଳି ଅନ୍ୟ କିଛି ଅଫିସର ତାହା ଖୋଲି ପଢ଼ିଦେବା ମୁଁ ଦେଖିଛି। ସେ ନେଇ ମୁଁ ମୁଖ୍ୟ ସଚିବ ଥିବାବେଳେ ଆପତ୍ତି ଉଠାଇଛି। ମାତ୍ର ଏବେ ଯାହା ହେଉଛି ଆପଣ ଜାଣନ୍ତି। ଏ ଆମ ପାଖ ଲୋକ କହି ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ଦେଉଛନ୍ତି। କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଭିଜିଲାନ୍ସକୁ ଅନୁମତି ଦିଆଯାଉନାହିଁ। 

ପୂର୍ବତନ ଭିଜିଲାନ୍ସ ଡିଜିପି ଡ. ଅନୁପ କୁମାର ପଟ୍ଟନାୟକ କହିଛନ୍ତି, ସର୍ବଭାରତୀୟ ସ୍ତରର ଅଫିସରଙ୍କ ନିଯୁକ୍ତିଦାତା ହେଲେ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ। ଭିଜିଲାନ୍ସ ମୋକଦ୍ଦମା ପାଇଁ କନସେଣ୍ଟ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖକୁ ସୁପାରିଶ ପଠାଇବେ। ରାଜ୍ୟ ସରକାର ସୁପାରିଶ ପଠାଉଥିବେ। ତେବେ ଭିଜିଲାନ୍ସ ଯେତେ ତଦନ୍ତ କରିଥାଉ ପଛେ ସରକାରଙ୍କ ବିନା ସାଙ୍କସନ ବା ଅନୁମତିରେ ମୋକଦ୍ଦମା କରିପାରିବ ନାହିଁ। ବେଳେ ବେଳେ ରାଜ୍ୟ ସରକାର କହିଥାନ୍ତି, ଆମେ ଭିଜିଲାନସ ମୋକଦ୍ଦମା ପାଇଁ ଅନୁମତି ଦେଉନୁ, ହେଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବୁ। ସେଭଳି ସ୍ଥଳେ ଭିଜିଲାନ୍ସ ମୋକଦ୍ଦମା କରିପାରେ ନାହିଁ।

ରାଜ୍ୟ ସରକାର ୨୦୦୦ ମସିହାରୁ ୨୦୨୨ ମସିହା ଭିତରେ ଅର୍ଥାତ୍ ୨୨ ବର୍ଷ ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। କୋର୍ଟରେ ଦଣ୍ଡିତ ହେବା କାରଣରୁ ଗ୍ରାମ୍ୟ ଗୃହ ନିର୍ମାଣ ବିକାଶ ନିଗମ ଦୁର୍ନୀତିରେ ଜଡ଼ିତ ଥିବା ୧୯୮୯-ବ୍ୟାଚର ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଆଉ ୬ ଜଣ ଆଇଏଏସଙ୍କୁ ଦୁର୍ନୀତି କାରଣରୁ ପ୍ରଥମେ ନିଲମ୍ବନ କରିଥିଲେ ସୁଦ୍ଧା ଏମାନଙ୍କ ମଧ୍ୟରୁ ଅଧିକାଂଶ ପରେ ଚାକିରିରେ ପୁନଃଅବସ୍ଥାପିତ ହୋଇଛନ୍ତି। ଏହି ୨୨ ବର୍ଷରେ ଦୁର୍ନୀତି କାରଣରୁ ଯେଉଁ ୬ ଜଣ ଆଇଏଏସ୍ ନିଲମ୍ବିତ ହୋଇଥିଲେ ସେମାନେ ହେଲେ- ପ୍ରଶାନ୍ତ କୁମାର ନାୟକ, ମୃଣାଳିନୀ ଦର୍ଶୱାଲ, ଜାନକୀବଲ୍ଲଭ ମିଶ୍ର, ଦେବରାଜ ମିଶ୍ର, ପାର୍ଥସାରଥୀ ମିଶ୍ର ଓ ବିଜୟ କେତନ ଉପାଧ୍ୟାୟ।

ଅନ୍ୟପଟରେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୌର ଚନ୍ଦ୍ର ମହାପାତ୍ର କହିଛନ୍ତି, ବେଳେ ବେଳେ ଦେଖାଯାଉଛି, ଗୋଟିଏ ଦୁର୍ନୀତି ମାମଲାରେ ଆଇଆଇସି ଭାବେ କାମ କରୁଥିବା ଜଣେ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମୋକଦ୍ଦମା ରୁଜୁ କରିବା ପାଇଁ ତାଙ୍କ ଏସପି ଅନୁମତି ଦେଉଛନ୍ତି, ହେଲେ ସେହି ମାମଲାରେ ପ୍ରଥମ ଶ୍ରେଣୀର ଜଣେ ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ସରକାର ଅନୁମତି ଦେଉନାହାନ୍ତି। ଏଭଳି ସ୍ଥିରିରେ ନ୍ୟାୟ ଦୁଇ ପ୍ରକାର ହୋଇଯାଉଛି। ନିୟମରେ ପରିବର୍ତ୍ତନ ହେବା ଦରକାର। ୩ ମାସ ଭଳି ଧାର୍ଯ୍ୟ ସମୟରେ ଅନୁମତି ନ ମିଳିଲେ ଭିଜିଲାନ୍ସ ମକଦ୍ଦମା ପାଇଁ ସ୍ୱତଃ ଅନୁମତି ମିଳିଛି ବୋଲି ଧରିନେବା ଉଚିତ।

Leave A Reply

Your email address will not be published.