ଲେଣ୍ଡୋ ଗ୍ରାମର ପୋଖରୀରୁ ମିଳିଲା ପୁରାତନ ବୋୖଦ୍ଧ ମୂର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୋ ଗ୍ରାମରୁ ଏକ ପୋଖରୀର ଖନନ କାର୍ଯ୍ୟ ଚାଲିଥିବା ସମୟରେ ମିଳିଛି ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷ। ଏହା ମଧ୍ୟରେ ରହିଛି ଏକ ମସ୍ତକ ବିହୀନ ବୁଦ୍ଧ ମୂର୍ତ୍ତି, ବୋୖଦ୍ଧ ମାନସିକ ସ୍ତୁପ, ପୁରାତନ ମନ୍ଦିରର ଶିଳାଖଣ୍ଡ ଇତ୍ୟାଦି। ପୋଖରୀର ଖନନ କାର୍ଯ୍ୟ ଏକ ଜେସିବି ଦ୍ୱାରା ଚାଲୁଥିବା ସମୟରେ ଏହି ପ୍ରାଚୀନ କୀର୍ତ୍ତିରାଜି ସବୁ ନଜରକୁ ଆସିଥିଲା, ପରେ ସ୍ଥାନୀୟ ଅଧିବାସୀ ସୁଶାନ୍ତ ବିଶ୍ୱାଳ ଓ ମହେନ୍ଦ୍ର ବିଶ୍ବାଳଙ୍କ ଉଦ୍ୟମ କ୍ରମେ ଏସବୁକୁ ପାଣି ଭିତରକୁ ଉପରକୁ କାଢି ସୁରକ୍ଷିତ କରାଯାଇଥିଲା। ଏହି ପୋଖରୀଟି ଗ୍ରାମର ଅତି ପ୍ରାଚୀନ ଲଡ଼ୁକେଶ ମହାଦେବଙ୍କ ମନ୍ଦିରରୁ ଅନତି ଦୂର ଭୁଜବଳପଡା ନାମକ ସ୍ଥାନରେ ଅବସ୍ଥିତ।

ଲେଣ୍ଡୋ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ସ୍ଥାନରେ ପହଞ୍ଚି ଏହି ସବୁ ପ୍ରତ୍ନତାତ୍ତ୍ୱିକ ଅବଶେଷର ଅନୁଧ୍ୟାନ କରିଥିବା ଐତିହ୍ୟ ଗବେଷକ ଦୀପକ ନାୟକ କହିଛନ୍ତି ଯେ ଏହି ଅଞ୍ଚଳ ପ୍ରତ୍ନତାତ୍ତ୍ୱିକ ବିଭବରେ ପରିପୂର୍ଣ୍ଣ ଏକ ଐତିହାସିକ ଅଞ୍ଚଳ। ଲଡ଼ୁକେଶ ମହାଦେଵଙ୍କ ବର୍ତ୍ତମାନର ମନ୍ଦିର ପୁରାତନ ମନ୍ଦିରର ଭଗ୍ନାବଶେଷ ଉପରେ ନୂତନ ଭାବରେ ନିର୍ମାଣ କରାଯାଇଛି। ଏହି ମନ୍ଦିର ପରିସରରେ ଶ୍ରୀଗଣେଷ, କାର୍ତ୍ତିକେୟ, ଶ୍ରୀବିଷ୍ଣୁ ଆଦି ବ୍ରାହ୍ମଣ ଧର୍ମମତର ଅନେକ ଦେବଦେବୀଙ୍କ ପ୍ରାଚୀନ ମୂର୍ତ୍ତି ଦେଖିବାକୁ ମିଳେ। ଏହା ବ୍ୟତିରେକ ଏହି ସ୍ଥାନରୁ ଆମକୁ ଏକାଧିକ ବୀରଶିଳା (ହିରୋଷ୍ଟୋନ) ଦେଖିବାକୁ ମିଳିଥିଲା। ଅତୀତରେ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ଗଜପତିମାନଙ୍କ ଶାସନ କାଳରେ ଏ ଅଞ୍ଚଳରେ ଅନେକ ପାଇକ ଯୋଦ୍ଧା ବସବାସ କରୁଥିଲେ।ଏହି ବିରଶୀଳା ସବୁର ଉପସ୍ଥିତି ଅଞ୍ଚଳରେ ସାମରିକ ଘଟଣାବଳୀର ପ୍ରତୀକ। ତେବେ ମିଳିଥିବା ବୋୖଦ୍ଧ ଅବଶେଷ ସବୁ ଏସବୁ ଠାରୁ ଆହୁରି ପୁରାତନ ସମୟର ବୋଲି ଅନୁମେୟ। ଦୟା ଓ ମନ୍ଦାକିନୀ ନଦୀ ଅବବାହିକାରେ ଲେଣ୍ଡୋର ସନ୍ନିକଟବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ଅନେକ ବୋୖଦ୍ଧ ଅବଶେଷସବୁର ସନ୍ଧାନ ମିଳିସାରିଛି। ଯାହା ପ୍ରମାଣିତ କରେ ଯେ ଏ ଅଞ୍ଚଳରେ ଏକଦା ବୌଦ୍ଧ ଧର୍ମବିଶ୍ଵାସର ଗଭୀର ପ୍ରଭାବ ଥିଲା। ଧ୍ୟାନମୁଦ୍ରାରେ ଥିବା ସେହି ମସ୍ତକବିହୀନ ବୋୖଦ୍ଧ ମୂର୍ତ୍ତିର ଗଠନକାଳ ନବମ ଶତାବ୍ଦୀରୁ ପୂର୍ବ ସମୟର ହୋଇପାରେ ବୋଲି ଦୀପକ ନାୟକ ମତବ୍ୟକ୍ତ କରିଛନ୍ତି।

ଇନ୍ଟାକ ଓଡ଼ିଶାର ସହ-ଆବାହକ ଶ୍ରୀ ଅନୀଲ ଧିରଙ୍କ ମତରେ ଲେଣ୍ଡୋ ଗ୍ରାମରେ ଏକ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ କରିବାର ଆବଶ୍ୟକତା ରହିଛି। ଲେଣ୍ଡୋ ବ୍ୟତିରେକ ଅଂଜିରା, ନିରାକାରପୁର, ଡ଼ିଆ, ଗଡ଼ବଳଭଦ୍ରପୁର, ରାମେଶ୍ୱର, ମାଳିସାହି ଆଦି ଗ୍ରାମମାନଙ୍କରେ ଏପରି ଅନେକ ପ୍ରାଚୀନ କୀର୍ତ୍ତିରାଜି ସବୁ ଇତସ୍ତତଃ ତଥା ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି। ସେସବୁକୁ ଏକତ୍ର କରି ଗୋଟିଏ ସଂଗ୍ରହାଳୟରେ ରଖାଯାଇପାରିଲେ, ଏହି ଅଞ୍ଚଳର ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ ଗୁରୁତ୍ୱ ବୃଦ୍ଧି ପାଇପାରିବ। ଏ ସମ୍ପର୍କରେ ଇନ୍ଟାକ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯିବ ବୋଲି ଶ୍ରୀ ଧିର କହିଛନ୍ତି।

Leave A Reply

Your email address will not be published.