ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ନେଇ ଗଜପତି ମହାରାଜାଙ୍କ ଉଦ୍‌ବେଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଗଣତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନ ମନୋଭାବ ନେଇ ଛତିଶଗଡ଼ ରାଜ୍ୟପାଳ ମୁହଁ ଖୋଲିବା ପରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ସମାନ ଢଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଏସ୍‌ଆଇ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ରତ୍ନଭଣ୍ଡାର ଭିତର କାନ୍ଥ ଭଲ ନାହିଁ। ଫାଟ ଅଛି, ବର୍ଷା ହେଲେ ପାଣି ପଶୁଛି। ରତ୍ନଭଣ୍ଡାର ମରାମତି ନିହାତି ଦରକାର। ପୂର୍ବରୁ କେବେ ମରାମତି ହୋଇଛି ଜଣାନାହିଁ।

ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର ଅନୁଧ୍ୟାନ ଆବଶ୍ୟକ। ଏନେଇ ଆଇନରେ ବ୍ୟବସ୍ଥା ରହିଛି। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି କରି ମନ୍ଦିର ଭିତରେ ନିରାପଦ ଓ ସୁରକ୍ଷିତ ରଖିବା ଜରୁରୀ। ନଚେତ ମରାମତି ହୋଇପାରିବ ନାହିଁ। ଏନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରିସାରିଛି। ରାଜ୍ୟ ସରକାର ନିଷ୍ପତ୍ତି ନେଲେ କାମ ହେବ। ଆମର ବିଶ୍ୱାସ ରତ୍ନଭଣ୍ଡାର ଭିତରେ ଦୁର୍ମୁଲ୍ୟ ଅଳଙ୍କାର ସୁରକ୍ଷିତ ଅଛି।

କମିଟି ନିବେଦନ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଇନରେ ଏହାର ବ୍ୟବସ୍ଥା ଅଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ପୂର୍ବରୁ ତାହା ବିଫଳ ହେଲା। ଭିତର ଭଣ୍ଡାରର ସେ ସମୟରେ ଚାବି ମିଳିଲା ନାହିଁ, କମିଶନ ବସିଲା। ଯେତେଶୀଘ୍ର ରତ୍ନଭଣ୍ଡାର ଖୋଲି ମରାମତି ହେବ ସେତେ ଭଲ ବୋଲି ଗଜପତି ମହାରାଜା କହିଛନ୍ତି।

Leave A Reply

Your email address will not be published.