ବିଭିନ୍ନ ସଂଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି: ସାମାଜିକ କର୍ମୀ ତଥା ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସଭାପତି ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ଅନୁଗୁଳ ସହରର ବାବାସାହେବ ଆମ୍ବେଦକର ଫାଉଣ୍ଡେସନର କ୍ୟାମ୍ପସ ଓ ବାବାସାହେବଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ଆଦେଶ ରଦ୍ଧ ଓ ନିଃଶୁଳ୍କ ସ୍ଥାୟୀ ପଟ୍ଟା ପ୍ରଦାନ ତଥା ଭୁବନେଶ୍ୱର ଏବଂ ରାଜ୍ୟର ପ୍ରତି ଜିଲ୍ଲାରେ ଆମ୍ବେଦକର ଭବନ ପ୍ରତିଷ୍ଠା ନିମନ୍ତେ ସରକାର ଜମି ଯୋଗେଇଦେବାକୁ ଅନୁରୋଧ କରାଯାଇଛି। ଆଉ ମଧ୍ୟ ସମାଜ ପାଇଁ ଉତ୍ସର୍ଗୀକୃତ ମହାନ ଜନନାୟକ ଯେପରି “ବାବାସାହେବ ଆମ୍ବେଦକର, ରାମସ୍ୱାମୀ ପେରିଆର, ଜ୍ୟୋତିଭା ଫୁଲେ, ସାବିତ୍ରୀ ବାଇ ଫୁଲେ, ବିର୍ସା ମୁଣ୍ଡା ଓ ରାମ ମନୋହର ଲୋହିଆ” ଙ୍କ ଜୀବନୀ ଓ ଆଦର୍ଶକୁ ସ୍କୁଲ କଲେଜ ପାଠ୍ୟକ୍ରମରେ ସାମିଲ କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି। ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଙ୍ଗଗର ଜିଲ୍ଲା ସଭାପତି ସୋନୁ ଅନୁଗୁ, ଅନୁସୂଚିତ ଜାତି ଓ ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରାଶବର ମାଡ଼ି, ସହ ସମ୍ପାଦକ ସଚିନ ଦୋରା, ଅଲ ଇଣ୍ଡିଆ ସିଡୁଲଡ଼ କ୍ୟାଷ୍ଟ ଫେଡରେସନର କର୍ମକର୍ତ୍ତା ଉମାସଙ୍କର ନାୟକ, ପଛୁଆ ବର୍ଗ ସଂଗଠନର ସଦସ୍ୟ ଲକ୍ଷ୍ମଣ ଗୌଡ଼, ଘାସି ମୁଦୁଲି, ନିଳାମ୍ବର ରେଗାମ ଓ କୋୟା ସମାଜରୁ ଗଙ୍ଗା ମାଡକାମୀ, ନନ୍ଦା ମାଡ଼ି ଓ ଲଛମନ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.