ପ୍ରାଚୀନ ମନ୍ଦିରରେ ସିମେଣ୍ଟ ପ୍ରଲେପ ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲା ଇନ୍ଟାକ: ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ପତ୍ର ଲେଖିଲେ ଇନ୍ଟାକ ରାଜ୍ୟ ଆବାହକ
ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ କୋଠସାହି ଗ୍ରାମର ପ୍ରାଚୀନ ଗୋପୀନାଥ ଦେବଙ୍କ ମନ୍ଦିର କାନ୍ଥରେ ଦିଆଯାଉଥିବା ସିମେଣ୍ଟ ଓ ଚୂନପ୍ରଲେପ ପ୍ରକ୍ରିୟା ଉପରେ ଚିନ୍ତା ପ୍ରକଟ କରିଛି Indian National Trust For Art & Cultural Heritage (INTACH) ଇନ୍ଟାକର ରାଜ୍ୟ ଶାଖା। ଇନ୍ଟାକ ଓଡିଶା ଶାଖାର ଆବାହକ ତଥା ପୂର୍ବତନ ପୋଲିସ ଡିଜି ଶ୍ରୀ ଅମୀୟ ଭୂଷଣ ତ୍ରିପାଠୀ ଏନେଇ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଙ୍କୁ ପତ୍ର ଲେଖିଛନ୍ତି। ମିଳିଥିବା ସୂଚନା ମୁତାବକ ଗତ ଜୁନ ୧୭ ତାରିଖ ଦିନ ଇନ୍ଟାକର ଏକ ଐତିହ୍ୟ ଗବେଷଣାକାରୀ ଦଳ କୋଠସାହି ଗ୍ରାମର ଗୋପୀନାଥ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚି ସାମ୍ପ୍ରତିକ ସ୍ଥିତିର ଅନୁଧ୍ୟାନ କରିବା ସହ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟରେ ମନ୍ଦିର ସହ ଜଡିତ ଐତିହାସିକ ପୃଷ୍ଠଭୂମି, ମନ୍ଦିରକୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ଵାରା ଏକ ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା ଓ ତୁରନ୍ତ ଚାଲିଥିବା ସିମେଣ୍ଟ ପ୍ରଲେପ ଆସ୍ତରଣର ପ୍ରକ୍ରିୟା ଆଦିକୁ ରୋକିବାର ସାତଟି ପ୍ରସ୍ତାବ ଦିଆଯାଇଛି। ଇନ୍ଟାକର ଏହି ତିନି ସଦସ୍ୟବିଶିଷ୍ଟ ଗବେଷଣାକାରୀ ଦଳରେ ଭୁବନେଶ୍ବର ଶାଖାର ଆବାହକ ଶ୍ରୀ ଅନୀଲ ଧିର, କଟକ ଶାଖାର ଦୁଇ ସଦସ୍ୟ ଡ଼. ବିଶ୍ଵଜିତ ମହାନ୍ତି ଓ ଶ୍ରୀ ଦୀପକ ନାୟକ ସାମିଲ ଥିଲେ।
ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଦୀପକ ନାୟକ କହିଥିଲେ ଯେ, କୋଠସାହି ଏକ ପ୍ରାଚୀନ ଗ୍ରାମ। ଲୋକକଥା ଅନୁସାରେ ଏହି ଗ୍ରାମରେ ୧୫ଶ ଶତାବ୍ଦୀରେ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ଵାରା ଗୋପୀନାଥ ଦେବଙ୍କ ମନ୍ଦିର, ଶିବ ମନ୍ଦିର ଓ ଏକ ଦେବୀ ମନ୍ଦିରର ସ୍ଥାପନା କରାଯାଇଥିଲା। ଦିଅଁମାନଙ୍କର ପୂଜାର୍ଚ୍ଚନା ଓ ମନ୍ଦିର ରୀତିନୀତିର ସୁପରିଚାଳନା ପାଇଁ ମହାପାତ୍ର ସଂଜ୍ଞାଧାରୀ ବ୍ରାହ୍ମଣମାନଙ୍କୁ ଏଠାରେ ଅବସ୍ଥାପିତ କରଯାଇଥିଲା। ଏହି ମହାପାତ୍ରବଂଶୀୟ ପରିବାର ଆଜି ମଧ୍ୟ ଗ୍ରାମରେ ବସବାସ କରୁଛନ୍ତି। ମନ୍ଦିରରେ ଗୋପୀନାଥ କୃଷ୍ଣଙ୍କର ଏକ ପ୍ରାଚୀନ କମନୀୟ ମୂର୍ତ୍ତି ମୁଖ୍ୟ ଦେବତା ରୂପେ ପୂଜା ପାଇ ଆସୁଛନ୍ତି। ଏହି ପ୍ରତିମାର କାରୁକାର୍ଯ୍ୟ ଓ ଗଠନଶୈଳୀ ଦୃଷ୍ଟିରୁ ବିଚାର କଲେ ଏହା ପ୍ରାୟ ୧୪ଶ/୧୫ଶ ଶତାବ୍ଦୀରେ ନିର୍ମିତ ହୋଇଥିବା ମନେ ହୁଏ। ମନ୍ଦିରର ପାର୍ଶ୍ଵ ଦେବତା ରୂପେ ପୂଜା ପାଉଥିବା ବରାହ, ତ୍ରିବିକ୍ରମ ଓ ନୃସିଂହ ମୂର୍ତ୍ତି ସବୁକୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କ ସ୍ଥାନରେ ନବ ନିର୍ମିତ ମୂର୍ତ୍ତି ସବୁ ପ୍ରତିଷ୍ଠିତ ହୋଇଛି। ଏତଦ୍ବ୍ୟତୀତ, ମନ୍ଦିରରେ ଦୁଇଟି ରାଜକୀୟ ମୂର୍ତ୍ତି ମଧ୍ୟ ରହିଛି ଯାହାର ସାମଞ୍ଜସ୍ୟ ଭୁବନେଶ୍ବରର କପିଳେଶ୍ୱର ମନ୍ଦିର ଓ କପାଳୀମଠରେ ଥିବା ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରତିମା ସହିତ ରହିଛି। ତେଣୁ ଏହା ଲୋକକଥା ଅନୁସାରେ କପିଳେନ୍ଦ୍ର ଦେବଙ୍କ ସମୟରେ ହିଁ ମନ୍ଦିରର ନିର୍ମାଣ ହୋଇଥିବା ଧାରଣାକୁ ଦୃଢୀଭୂତ କରେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।
ଇନ୍ଟାକର ବରିଷ୍ଠ ସଦସ୍ୟ ଡ଼. ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ, ଏହି ମନ୍ଦିରଟି ପ୍ରାଚୀନ କଳିଙ୍ଗ ଶୈଳୀରେ ବଉଳମାଳିଆ ପଥରରେ ନିର୍ମିତ। ରେଖା ଶୈଳୀରେ ନିର୍ମିତ ମନ୍ଦିର ବିମାନର ଉଚ୍ଚତା ପ୍ରାୟ ୪୦ ଫୁଟ ହେବ। ତେବେ ବର୍ତ୍ତମାନ ମନ୍ଦିରର ମସ୍ତକ ଭାଗରୁ ଗଣ୍ଡି ପର୍ଯ୍ୟନ୍ତ ସିମେଣ୍ଟର ପ୍ରଲେପ ଦିଆଯିବା ସହିତ ଏହା ଉପରେ ଚୂନର ଏକ ଆସ୍ତରଣ ଦିଆଯାଇଛି। ଏହାଦ୍ୱାରା ମନ୍ଦିରର ପ୍ରାଚୀନତା ସବୁଦିନ ପାଇଁ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ମନ୍ଦିରଟି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ହୋଇନାହିଁ, ଏବଂ ଏକ ଗ୍ରାମ୍ୟ କମିଟି ମନ୍ଦିରର ପରିଚାଳନା କରୁଛନ୍ତି। ଇନ୍ଟାକ ଦଳ ପକ୍ଷରୁ ଏହି କମିଟିର ଟ୍ରଷ୍ଟିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା। ଆମେ ଗ୍ରାମବାସୀଙ୍କୁ ଏହାର ମରାମତି କାର୍ଯ୍ୟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇ ଆସିଛୁ, ତେବେ ଯଥାଶୀଘ୍ର ରାଜ୍ୟପ୍ରତ୍ନତତ୍ତ୍ୱ ବିଭାଗ ଏଥିରେ ହସ୍ତକ୍ଷେପ କରି ମନ୍ଦିରର ମରାମତି କାର୍ଯ୍ୟ କିପରି ସଠିକ ଢଙ୍ଗରେ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଇନ୍ଟାକ ଭୁବନେଶ୍ୱର ଶାଖା ଆବାହକ ଶ୍ରୀ ଅନୀଲ ଧିରଙ୍କ ମତରେ ଓଡ଼ିଶାରେ ପାଖାପାଖି ୩୦୦ଟି ଐତିହ୍ୟସ୍ଥଳୀ ଏ.ଏସ.ଆଇ. ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଙ୍କ ପରି ସରକାରୀ ସଂସ୍ଥା ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀର ମାନ୍ୟତା ପାଇଛନ୍ତି, କିନ୍ତୁ ବିଗତ ଦୁଇ ଦଶନ୍ଧିରେ ଇନ୍ଟାକ ସଂସ୍ଥାର ନିରବଚ୍ଛିନ୍ନ ଉଦ୍ୟମ ଫଳରେ ରାଜ୍ୟର ୧୬ଟି ଜିଲ୍ଲାର ପ୍ରାୟ ୬୫୦୦ଟି ଐତିହ୍ୟସ୍ଥଳୀ ଚିହ୍ନଟ ହୋଇସାରିଛି। ଏସବୁର ସୁରକ୍ଷା ଓ ସଂରକ୍ଷଣ ଏ.ଏସ.ଆଇ. ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପରି ସରକାରୀ ସଂସ୍ଥାମାନଙ୍କର ଗୁରୁଦାୟିତ୍ୱ। ତୁରନ୍ତ କୋଠସାହି ଗ୍ରାମକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ପ୍ରତିନିଧି ଦଳ ପଠାଇ, ମନ୍ଦିରର ମରାମତି କାର୍ଯ୍ୟ ନିଜ ଅଧୀନକୁ ନେବାକୁ ଶ୍ରୀ ଧିର ଦାବି କରିଛନ୍ତି।