ଚକ୍ରଧରଙ୍କୁ ଶୁକଦେବ ନାଟ୍ୟଗୁରୁ ସମ୍ମାନ

କଟକ,( ନୃସିଂହ ଚରଣ ଦାସ): କଳା ଯାହାର ଜୀବନ । ସଂଳାପ ଯାହାର ସ୍ପନ୍ଦନ । ନିର୍ଦେଶନା ଯାହାଙ୍କ ନିଶା । ଆଉ ସର୍ବପରି ଗୀତିନାଟ୍ୟକୁ ରସସିକ୍ତ କରିବା ଲାଗି ସ୍ୱର ସଂଯୋଜନା କରିବାରେ ନିଜକୁ ଯିଏ କରିଥିଲେ ନିମଗ୍ନ । ସେଇ ବର୍ଷିୟାନ ବିଶିଷ୍ଟ ଗୀତିନାଟ୍ୟ ନିର୍ଦେଶକ ଚକ୍ରଧର ସୁତାରଙ୍କୁ ପ୍ରଦାନ କରାଯାଇଛି ନାଟ୍ୟଗୁରୁ ଶୁକଦେବ ବାରିକ ୨୦୨୩ ସମ୍ମାନ । ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ବର୍ଷିୟାନ କଳାକାର ଚକ୍ରଧରଙ୍କୁ ଏହି ସମ୍ମାନ ଦିଆଯାଇଛି । ସମ୍ମାନ ସ୍ୱରୂପ ମାନପତ୍ର, ସାଲ, ପୁଷ୍ପଗୁଚ୍ଛ ଓ ଏକ ହଜାର ଟଙ୍କାର ନଗଦ ରାଶି । ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତର ମହାବୀର ଷ୍ଟଡି ସର୍କଲ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଥିଲା । ଷ୍ଟଡି ସର୍କଲର ୩୩ ବର୍ଷ ଅବସରରେ ମାହାଙ୍ଗାର କଳା ସଂସ୍କୃତିକୁ ମନେ ପକାଇଥିଲେ ଷ୍ଟଡି ସର୍କଲର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ । କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରଦ୍ୟୁମ୍ନ ବାରିକ ସଭାପତିତ୍ୱ କରିଥିଲେ । ପୂରାତନ ଛାତ୍ର ରାକେଶ ପଣ୍ଡା ବାର୍ଷିକ ବିବରଣୀ ଓ ଷ୍ଟଡି ସର୍କଲର ଇତିହାସ ରୋମନ୍ଥନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର କାର୍ତ୍ତିକେଶ୍ୱର ବରାଳ, ମୁଖ୍ୟବକ୍ତା ଭାବେ ଇଂ ମାନଗୋବିନ୍ଦ ପଣ୍ଡା ଓ ବିଶିଷ୍ଠ ସମାଜସେବୀ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ନିର୍ଦେଶକ ଶ୍ରୀ ସୁତାରଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ବରାଳ ନିର୍ଦେଶକ ସୁତାରଙ୍କ ବାଲ୍ୟବନ୍ଧୁ ହୋଇଥିବାରୁ ବେଶ ଭାବର ଆଦାନ ପ୍ରଦାନ ହୋଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲ୍ଲୀଙ୍କ ପୁତ୍ର ମାସୁଦ ଅଲ୍ଲୀ, ପ୍ରଭାତ କର, ଆଇନଜୀବୀ ଦୀପକ ମହାନ୍ତି, ସ୍ତମ୍ବକାର ବିବେକାନନ୍ଦ ଦାସ, ସାମ୍ବାଦିକ ଶଶୀ ସଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ପିଲାମାନଙ୍କ ଦ୍ଵାରା ଗୀତିନାଟ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.