ଭୁବନେଶ୍ୱର/ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ନବୀନଙ୍କ ଆଭିମୁଖ୍ୟକୁ ଆକଳନ କରିବା ମୁସ୍କିଲ । କେତେବେଳେ ପ୍ରସଙ୍ଗ ଭିତ୍ତିରେ ବିଜେପିକୁ ସମର୍ଥନ କରିଛି ବିଜେଡି । ତ ପୁଣି କେତେବେଳେ ବିଜେପି ଓ କଂଗ୍ରେସ ଠାରୁ ସମ-ଦୂରତାର କଥା କହିଛନ୍ତି ନେତା । କିନ୍ତୁ ସମ-ଦୂରତା କଥା କହିବାବେଳେ ଜାତୀୟ ରାଜନୀତିରେ ରୂପ ନେଉଥିବା ତୃତୀୟ ସାମୁଖ୍ୟକୁ ସମର୍ଥନ ବି କରିନାହାଁନ୍ତି । ତେଣୁ ଏବେ ବିରୋଧୀ କ୍ୟାମ୍ପରୁ ନୂଆ ଥିଓରୀକୁ ନେଇ ଚର୍ଚ୍ଚା ହେଉଛି । ଜାତୀୟ ରାଜନୀତିରେ ବିଜେଡି ଓ ବିଜେପି ଅନଔପଚାରିକ ଭାବେ ଏକାଠି ଥିବା କହିଛନ୍ତି ଟିଏମସି ନେତା । ଯାହାକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ଓ ବିଜେପି ।
ଟାଇମ୍ସ ଅଫ ଇଣ୍ଡିଆ କହିଛି, ନବୀନ ପଟ୍ଟନାୟକ ଫାଶୀବାଦ ସହିତ ଅଛନ୍ତି ଏବଂ ଅନୌପଚାରିକ ଭାବେ ବିଜେପି ସହିତ ବିଜେଡି ରହିଛି । ସେହିପରି ହିନ୍ଦି ସମ୍ବାଦପତ୍ର ଅମର ଉଜାଲା ମଧ୍ୟ ଟିଏମସି ନେତା ଡାରେକ ଓବ୍ରାଏନଙ୍କ କଥାକୁ ଉଲ୍ଲେଖ କରିଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏବଂ ଦି ପ୍ରିଣ୍ଟ ୱେବସାଇଟରେ ମଧ୍ୟ ସମାନ ଧରଣର ଖବର ପ୍ରକାଶ ପାଇଛି ।
ଟିଏମସିର ରାଜ୍ୟସଭା ସାଂସଦ କହିଛନ୍ତି ‘ଦୁଇଜଣ ବ୍ୟକ୍ତି ଫାଶୀବାଦ ଅର୍ଥାତ ଏକଛତ୍ରବାଦର ପକ୍ଷ ନେଉଛନ୍ତି, ସେମାନଙ୍କ ଭିତରୁ ନବୀନ ପଟ୍ଟନାୟକ ଜଣେ । ଯିଏ କି ଅନୌପଚାରିକ ଭାବରେ ବିଜେପି ସହିତ ରହିଛନ୍ତି । ଏହା ତାଙ୍କର ବାଧ୍ୟବାଧ୍ୟକତା । ଆରଏସଏସକୁ ସୁହାଇଲା ଭଲି ତାଙ୍କର ଆଭିମୁଖ୍ୟ । ମଣିପୁରରେ ଭୟାବହ ସ୍ଥିତି କିମ୍ବା ସେଠାରେ ୨୫୦ ଚର୍ଚ୍ଚ ପୋଡି଼ ଦିଆଯିବା ସଂପର୍କରେ ନବୀନ ଚୁପ ରହିଛନ୍ତି ।
ଗତ ମେ’ ୨୭ ତାରିଖରେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ ମୁଖ୍ୟମନ୍ତ୍ରୀ । ଏହା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ କରାଗଲା, ଏହି କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହିଲେ ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ବିଜେପି ଓ ମୋଦୀ ବିରୋଧୀ ଦଳଗୁଡିକ ନୂଆ ସଂସଦ ଭବନ ଉଦଘାଟନକୁ ସଂପୂର୍ଣ୍ଣ ବୈକଟ୍ କରିଥିଲେ । ହେଲେ ବିଜେଡିର ପ୍ରାୟ ସମସ୍ତ ସାଂସଦ ପାର୍ଲାମେଣ୍ଟ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେଲେ । ଅର୍ଥାତ ବିରୋଧୀ ଗୋଷ୍ଠୀରୁ ନିଜକୁ ଦୂରେଇ ରଖିଲେ ନବୀନ ।
ଆଗାମୀ ୨୩ ତାରିଖରେ ମୋଦୀ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବେ ବିରୋଧୀ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ପାଟନାରେ ହେବ ମହାସମ୍ମିଳନୀ । ହେଲେ ସମଦୂରତା କଥା କହୁଥିବା ବିଜେଡି କିନ୍ତୁ ପାଟନା ସମ୍ମିଳନୀରେ ଯୋଗଦେବ ନାହିଁ ବୋଲି ସୂଚନା ମିଳିଛି । ଆଉ ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖାସ କୁହାଯାଉଥିବା ଟିଏମସି ନେତା ଡାରେକ ଓବ୍ରାଏନଙ୍କ ବୟାନ ଜାତୀୟ ରାଜନୀତିରେ ବିଜେଡି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ବଢାଇଛି । ରାଜ୍ୟ କଂଗ୍ରେସ ନେତା ମଧ୍ୟ ବିଜେଡି ଓ ବିଜେପି ଏକାଠି ରହିଥିବା କହି ଘେରିଛନ୍ତି । ଅନ୍ୟପକ୍ଷରେ ଟିଏମସି ଓ କଂଗ୍ରେସର ଏଭଳି ଅଭିଯୋଗକୁ ଅବାନ୍ତର କହି ଉଡାଇ ଦେଇଛି ବିଜେଡି । ବିଜେପିକୁ ସମର୍ଥନ ଦେବା ପଛରେ ବିଜେଡିର କୌଣସି ବାଧ୍ୟବାଧ୍ୟକତା ନାହିଁ, ବରଂ ବିଜେପିର ଥାଇପାରେ ବୋଲି କହିଛନ୍ତି ବିଜେଡି ନେତା ।
ଏସବୁ ଚର୍ଚ୍ଚା ଆଲୋଚନା ବାରମ୍ବାର ହେଉଛି । କାରଣ ଜାତୀୟ ରାଜନୀତି ପରିପ୍ରେକ୍ଷୀରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ କେହି ଆକଳନ କରିପାରୁ ନାହାନ୍ତି । ନବୀନ ମଧ୍ୟ ଦିଲ୍ଲୀରେ ସ୍ପଷ୍ଟ କରିସାରିଛନ୍ତି ଯେ, ଆଗାମୀ ନିର୍ବାଚନରେ ବିଜେଡି ଏକାକୀ ଲଢିବ ଓ ସମଦୂରତା ଆଭିମୁଖ୍ୟ ବଜାୟ ରଖିବ ।