ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ମାଲକାନଗିରି, ୨୩/୦୬/୨୩: ଶୁକ୍ରବାର ଜିଲ୍ଲା ସ୍ତରୀୟ ଲୋକ ସଂଗଠନ ମହିଳା ଶ୍ରମଜୀବୀ ସଂଗଠନ ଓ ଶ୍ରମଜୀବୀ ସଂଗଠନ ମାଲକାନଗିରି, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ନିକଟରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସହିତ ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହ ହେତୁ, ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ଏବଂ ପୃଷ୍ଟି ଯୁକ୍ତ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକି ସେମାନଙ୍କର ଆତ୍ମସମ୍ମାନ ସହ ବଞ୍ଚିବାର ଅଧିକାରକୁ ସୀମିତ କରୁଛି । ତେଣୁ ସ୍ଥାନୀୟ ସଂଗଠନ ପଛୁଆବର୍ଗମାନଙ୍କ ପାଇଁ ଅଧିକାର ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ସଚେତନ ମୂଳକ କାର୍ଯ୍ୟକ୍ରମ ମାନ କରି ଆସୁଅଛି ।

ଏଥି ସହିତ ସ୍ଥାନୀୟ ସଂଗଠନ ପକ୍ଷରୁ ଆଜି ମାଲକାନଗିରି ବସଷ୍ଟାଣ୍ଡରୁ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ବାହାରି ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପଠାଇବା ସହିତ ଜିଲ୍ଲାର ସମସ୍ତ ବଞ୍ଚିତ ବର୍ଗର ଜନସାଧାରଣଙ୍କ ପାଇଁ ନିମ୍ନ ଲିଖିତ ଦାବି ଗୁଡିକ ପୂରଣ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି, ଯେଉଁଥିରେ ଦାବି ଗୁଡିକ ହେଲା – ସମସ୍ତ ପରିବାରକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଓ ସମସ୍ତ ପିଇବା ପାଣିର ଉତ୍ସଗୁଡିକର ମରାମତି କରିବା, ସମସ୍ତ ଯୋଗ୍ୟ ଗରୀବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଗାଇ ଦେବା, ବାଦ ପଡିଥିବା ସମସ୍ତ ପରିବାରକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯାଉ, ସମସ୍ତ ଯୋଗ୍ୟ ବୃଦ୍ଧା/ବିଧବା ଏବଂ ଦିବ୍ୟାଙ୍ଗ ମାନଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବା ଓ ଭତ୍ତାର ପରିମାଣ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଉ ଓ ହାତରେ ନଗଦ ଟଙ୍କା ଆକାରେ ଘରେ ପ୍ରଦାନ କରାଯାଉ, ସମସ୍ତ ଯୋଗ୍ୟ ପରିବାରକୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଓ ଗ୍ରାମ ଗୁଡିକୁ ସାମୁହିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାର ବ୍ୟବସ୍ଥା କରାଯାଉ, ସମସ୍ତ ଯୋଗ୍ୟ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ କରାଯାଉ, ସମସ୍ତ ଚାଷ ଜମିକୁ ଜଳସେଚନ ଯୋଗାଇବା ଓ ସମସ୍ତ ଚେକ ଡ୍ୟାମ, କେନାଲ, ଉଠାଜଳସେଚନ ପଏଣ୍ଟ ଗୁଡିକୁ ତୁରନ୍ତ ମରାମତି କରାଯାଉ, ସମସ୍ତ ଚାଷୀ ପରିବାରକୁ ରବି ଋତୁରେ ଚାଷ ନିମନ୍ତେ ସେପ୍ଟେମ୍ବର ସୁଧା ଡାଲି ଜାତୀୟ ବିହନ ଯଥା – ମୁଗ, ବିରି, ଚଣା ଓ କୋଳଥ ଆଦି ମାଗଣାରେ ଯୋଗାଇ ଦିଆଯାଉ, ପାକଶାଳା ବଗିଚା ପାଇଁ ସମସ୍ତ ପରିବାରକୁ ପନିପରିବା ବିହନ କିଟ ତୁରନ୍ତ ପ୍ରଦାନ, ପରିବାରରୁ ବାଦ ପଡିଥିବା ସମସ୍ତ ସଦସ୍ୟଙ୍କୁ ରାସନ କାର୍ଡରେ ଯୋଡିବା, ସମସ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୁମି ଯଥା – ଶ୍ରେଣୀ ଗୃହ, ରୋଷେଇ ଘର, ଶୁଦ୍ଧ ପିଇବା ପାଣି, ଖେଳ ପଡିଆ, ଶୌଚାଳୟ ଓ ପାଚେରୀ ଆଦି ମରାମତି ଓ ନିର୍ମାଣ କରାଯିବା ସହ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକଙ୍କ ନିଯୁକ୍ତି କରିବା, ୧୫୦ରୁ ଉର୍ଦ୍ଧ ଜନସଂଖ୍ୟା ଥିବା ପଡା ଗ୍ରାମଗୁଡିକରେ ତୁରନ୍ତ ମିନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୁମି ଯଥା – ପକ୍କାଗୃହ ନିର୍ମାଣ, ପିଇବା ପାଣି, ରୋଷେଇ ଗୃହ ଓ ପାଚେରୀ ନିର୍ମାଣ କରାଯାଉ ।

ଉପରୋକ୍ତ ଦାବିଗୁଡିକ ଉପରେ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରିବା ଉଦ୍ଦ୍ୟେଶରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକରୁ ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଶୋଭାଯାତ୍ରାରେ ସଂଗଠନର ସମ୍ପାଦକ ରାଜୁ କବାସୀଙ୍କ ସହ ଗାଙ୍ଗି ମାଢି, ଏରେ କବାସୀ, ଶୁଭଶ୍ରୀ ମାଢି, ଦହନା ମାଡକାମୀ, ଏରା ପଡିଆମୀ, ମୁକୁନ୍ଦ ମାଡକାମୀ, ମଦନ ହନ୍ତାଳ, ରାମ ବଡନାୟକ, ଗୋବର୍ଧନ ପାଙ୍ଗି, ଶୁକ୍ରା ଗୁରୁତେଲି, ଜିତେନ୍ଦ୍ର ଖିଲ , ତ୍ରୀନାଥ ବଡନାୟକ, ଶ୍ରୀନୁ ସାଲବମ ଓ ସୀତାରାମ ଦୁରୁଆ ପ୍ରମୁଖଙ୍କ ନେତୃତ୍ୱରେ ଶୋଭାଯାତ୍ରା ପରିଚାଲିତ କରାଯାଇଥିଲା l

Leave A Reply

Your email address will not be published.