କେବଳ ପ୍ରଶାନ୍ତ ରାଉତ ନୁହଁନ୍ତି, ପୂର୍ବରୁ ମଧ୍ୟ ଏହି ବାବୁମାନଙ୍କ ଘରୁ ମିଳିଥିଲା ନଗଦ କୋଟିକୋଟି ଟଙ୍କା, ଜାଣନ୍ତୁ ସେମାନେ କେଉଁମାନେ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ବହୁ ଅଧିକାରୀ ଏବଂ କର୍ମଚାରୀ ଦୁର୍ନୀତିରେ ବୁଡ଼ି ରହୁଛନ୍ତି। ଭିଜିଲାନ୍ସ ବିଭାଗ ଦ୍ବାରା ଚଢ଼ଉ କରାଯାଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଆୟବର୍ହିଭୂତ ସଂପତ୍ତି ଠାବ ହେଲା ପରେ ଏହା ପ୍ରମାଣିତ କରୁଛି। ଆଜି ନବରଂଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ୨ଟି ଠିକଣାରୁ ନଗଦ ୨,୯୧, ୯୩,୮୦୦ ଟଙ୍କା ଜବତ ହୋଇଛି। ଶ୍ରୀ ରାଉତଙ୍କ ଭୁବନେଶ୍ବର ଓ ନବରଂଗପୁର ଠିକଣାରୁ କୋଟିକୋଟି ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି। କିନ୍ତୁ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ନୂଆ ଘଟଣା ନୁହେଁ। ବିଗତ ୭ ବର୍ଷ ମଧ୍ୟରେ ୬ ଜଣ ସରକାରୀ ବାବୁଙ୍କ ଠିକଣାରୁ ନଗଦ କୋଟି କୋଟି ଟଙ୍କା ଜବତ ହୋଇଛି। ଏହି ତାଲିକାରେ ପ୍ରଶାନ୍ତ କୁମାର ରାଉତଙ୍କ ବ୍ୟତୀତ ଗତବର୍ଷ ୪ ଜଣ ଓ ୨୦୧୬ରେ ଜଣେ ସରକାରୀ ବାବୁ ସଂପୃକ୍ତ ଅଛନ୍ତି।
ଗଂଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଠିକଣାରେ ୨୦୨୨ ଏପ୍ରିଲ ୭ ତାରିଖରେ ଭିଜିଲାନ୍ସ ବିଭାଗ ଯେତେବେଳେ ଚଢ଼ଉ କରିଥିଲା ପାହାଡ଼ ଭଳି ଟଙ୍କା ଦେଖି ଜଳକା ହୋଇଯାଇଥିଲା। କାରଣ ସେହି ସମୟରେ ଶ୍ରୀ ରାଉଳଙ୍କ ଠାରୁ ନଗଦ ୩,୪୧,୬୬,୨୮୦ କୋଟି ଟଙ୍କା ଜବତ ହୋଇଥିଲା। ସେହିବର୍ଷ ମାର୍ଚ୍ଚ ୨୫ ତାରିଖରେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ସେହି ସମୟରେ ତାଙ୍କ ଠାରୁ ନଗଦ ୧,୪୦,୧୮,୦୭୦ ଟଙ୍କା ଜବତ ହୋଇଥିଲା।
ସେହିପରି ଭିଜିଲାନ୍ସ ବିଭାଗ ଗତବର୍ଷ ଫେବ୍ରୁଆରି ୨୪ ତାରିଖରେ ପୁରୀ ଜିଲ୍ଲା ନିମାପଡା, ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କ ଠିକଣାରୁ ନଗଦ ୧,୧୩,୧୬,୭୨୦ ଟଙ୍କା, ଡିସେମ୍ବର ୨୧ରେ କୋରାପୁଟ ଜିଲ୍ଲା ସୀମାଗୋଡ଼ା ଇଡ୍କଲ୍ ଅମ୍ପାଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଠିକଣାରୁ ନଗଦ ୧,୦୬,୪୪,୫୦୦ ଟଙ୍କା ଜବତ କରିଥିଲା।
ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଅବସର ଦେଇଥିଲେ। ସରକାର ଭିଜିଲାନ୍ସ ତଦନ୍ତ ପରେ ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଶ୍ରୀ ମିଶ୍ରଙ୍କ ଠିକଣାରୁ ୨୦୧୬ ଫେବ୍ରୁଆରି ୨୫ ତାରିଖରେ ନଗଦ ୧,୦୭,୭୦,୦୦୦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା।