ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ

୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି

ଭୁବନେଶ୍ବର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କାର ନଗଦ ଜବତ କରାଯାଇଥିଲା, ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ ଭିଜିଲାନ୍ସ ଏସ.ପି ଏମ ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ। କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ। ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରାଯାଇଛି। ଏହି ଟଙ୍କାକୁ ସେ ବହି ରୢାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ। ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଚଢ଼ଉ ଜାରି ରହିଥିବା ବେଳେ ନଗଦ ଟଙ୍କା ମିଳୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଥିଲେ। ପ୍ରଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ବହୁତଳ କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଯାନ ଅଛି। ତାଙ୍କ ଠାରୁ ୨୧.୩୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୬୨ଲକ୍ଷ ଟଙ୍କା ଡିପୋଜିଟ୍ (୨୦୧୯ ମସିହା ପରେ ବେନାମୀ ଆକାଉଣ୍ଟରେ ୨୧ଲକ୍ଷ ଟଙ୍କା ଜମା) ହୋଇଛି।

ଶୁକ୍ରବାର ସକାଳେ ପ୍ରଶାନ୍ତଙ୍କର ନବରଙ୍ଗପୁରସ୍ଥିତ ସରକାରୀ ବାସଭବନ, ଭୁବନେଶ୍ବର କାନନବିହାର ଏଚଆଇଜି-୧୧୫ରେ ଥିବା ଦୁଇ ମହଲା କୋଠା, ନବରଙ୍ଗପୁରସ୍ଥିତ ଅଫିସ, ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘର ସମେତ ୯ ଜାଗାରେ ଏକକାଳୀନ ଚଢ଼ଉ କରା ଯାଇଥିଲା। ବେଆଇନ କାରବାର ପାଇଁ ବାଲିମାଫିଆ, ଖଣି ମାଫିଆ, ଜଙ୍ଗଲ ମାଫିଆ ଓ ଉନ୍ନୟନ କାମ ବାବଦରେ ଠିକାଦାରଙ୍କଠାରୁ ଟଙ୍କା ଠୁଳ କରିଥିବା କୁହାଯାଉଛି। କିନ୍ତୁ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ଉ ପାଇଁ ୯ଟି ଟିମ୍ ତିଆରି ହୋଇଥିଲା। ଦୁଇଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୭ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲ‌େ।

ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ତେବେ ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ ।

Leave A Reply

Your email address will not be published.