ପୁଟିନଙ୍କୁ ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ଙ୍କ ଧମକ: ଖୁବଶୀଘ୍ର ରୁଷରେ ନୂଆ ରାଷ୍ଟ୍ରପତି କ୍ଷମତାରେ ବସିବେ

ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ବର୍ତ୍ତମାନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତି ନିଟକତର ବୋଲି କୁହାଯାଉଥିବା ପ୍ରାଇଭେଟ୍ ଆର୍ମି ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ ଏବେ ପୁଟିନଙ୍କୁ ଜୋରଦାର ବିରୋଧ କରିବା ଆରମ୍ଭ କରିଛନ୍ତି। ସେ ଏକପ୍ରକାର ସାମରିକ ବିଦ୍ରୋହକୁ ଓହ୍ଲାଇ ଆସିଛନ୍ତି। ୱାଗନର୍ ଗ୍ରୁପ୍‌ର ମୁଖ୍ୟ କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଯେଉଁ ଭୁଲ କରିଛନ୍ତି, ତାହା ତାଙ୍କୁ କ୍ଷମତାଚ୍ୟୁତ କରିବ। ଏଥିସହ ସେ ପୂର୍ବରୁ ଘୋଷଣା କରିଥିଲେ ଯେ ତାଙ୍କ ଅଧିନରେ ଥିବା ୨୫,୦୦୦ ସୈନିକ ପ୍ରାଣପାତ କରିବାକୁ ସଂକଳ୍ପ ନେଇଛନ୍ତି। ସେମାନେ ପଛକୁ ହଟିବାର ସମ୍ଭାବନା ନାହିଁ।

ସେ ଆହୁରି କହିଛନ୍ତି ଯେ, ଦେଶ ଖୁବ୍ ଶୀଘ୍ର ଏକ ନୂତନ ରାଷ୍ଟ୍ରପତି ପାଇବ। ତେବେ ପ୍ରିଗୋଝିନଙ୍କ ନେତୃତ୍ୱରେ ତାଙ୍କ ସୈନ୍ୟମାନେ ରୁଷର ଦୁଇଟି ସହରକୁ ନିୟନ୍ତ୍ରଣ କରିଥିବା ‘ୱାଗ୍‌ନର୍‌’ ଦାବି କରିବା ସହ ତିନିଟି ସାମରିକ ହେଲିକପ୍ଟରକୁ ତଳକୁ ଖସାଇଥିବା କହିଛି। ତେବେ ବିଦ୍ରୋହୀ ଗୋଷ୍ଠୀଙ୍କ ଏଭଳି କାମ ପରେ ପୁଟିନ ରାଗରେ ‘ୱାଗ୍‌ନର୍‌’ ଗ୍ରୁପକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରୁଷ୍‌ର ଘରୋଇ ସେନା ସଂଗଠନ ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ଙ୍କ ବିଦ୍ରୋହକୁ ‘ବିଶ୍ବାସଘାତକତା’ ବୋଲି ଆଜି ଜାତି ଉଦ୍ଦେଶ୍ୟରେ ଟେଲିଭିଜନ୍‌ରେ ଦେଇଥିବା ଉଦ୍‌ବୋଧନରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ କହିଥିଲେ।

ସେ କହିଥିଲେ, ଆମେ ରାଷ୍ଟ୍ରଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ରୁଷ୍‌ର ସେନା ବାହିନୀ ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ବାସଘାତକ। ତେଣୁ, ପରିସ୍ଥିତିର ମୁକାବିଲା କରିବା ଲାଗି ରୁଷ୍‌ର ସଶସ୍ତ୍ର ସେନା ଆବଶ୍ୟକ ଆଦେଶ ପାଇଛନ୍ତି। ବିଦ୍ରୋହରେ ଭାଗ ନେଇଥିବା ସମସ୍ତଙ୍କୁ ଶାସ୍ତି ଦିଆଯିବ।

ତେବେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରତିଜ୍ଞା କରି ବିଦ୍ରୋହ ଘୋଷଣା କରିଥିବା ଘରୋଇ ସେନା ସଙ୍ଗଠନ ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ଙ୍କୁ ଗିରଫ କରିବା ପାଇଁ ମଧ୍ୟ ଆଜି କ୍ରେମ୍‌ଲିନ୍ ଆଦେଶ ଦେଇଛି।

Leave A Reply

Your email address will not be published.