ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର; ଜେଲ୍‌ ଗଲେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ

ଭୁବନେଶ୍ବର/ସୁନ୍ଦରଗଡ଼: ଶନିବାର ସନ୍ଧ୍ୟାରେ କୋଟିପତି ବାବୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ରାଉରକେଲା ଭିଜିଲାନ୍ସ ଡିଭିଜନର ସ୍ୱତନ୍ତ୍ର ଟିମ ଗିରଫ କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲେ। କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ୧୪ ଦିନ ପାଇଁ ସୁନ୍ଦରଗଡ଼ ଜିଲ୍ଲା କାରାଗାରକୁ ପଠାଇ ଦେଇଛନ୍ତି। ଜୁଲାଇ ୭ ତାରିଖ ଯାଏଁ ସେ ହାଜତରେ ରହିବେ।

ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ ଭିଜିଲାନ୍ସ ଏସ ପି ଏମ ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି।

ଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ। କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବା ପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ। ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରାଯାଇଛି। ଏହି ଟଙ୍କାକୁ ସେ ବହି ରୢାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ। ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଛି।

Leave A Reply

Your email address will not be published.