ବିଶ୍ବକପ୍ ବିଜୟ: ୪୦ ପୂରିଲା
ଭୁବନେଶ୍ବର/ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପାଇଁ ୨୫ ଜୁନ୍ ୧୯୮୩ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଏବଂ ଚିର ସ୍ମରଣୀୟ ଦିବସଟିଏ ହୋଇ ରହିଥିବ। ଭାରତୀୟ କ୍ରିକେଟ୍ ପାଇଁ ସବୁଠାରୁ ଟର୍ଣ୍ଣିଂ ପଏଣ୍ଟ ଭାବେ ପରିଚିତ ଏହି ଦିନ ଠିକ୍ ୪୦ ବର୍ଷ ତଳେ (୨୫ ଜୁନ୍ ୧୯୮୩)ରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡ୍ରେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍କୁ ୪୩ ରନ୍ରେ ହରାଇ ପ୍ରୁଡେନସିଆଲ୍ ବିଶ୍ବକପ୍ ଜିତିଥିଲା ଭାରତ। ଅଣ୍ଡରଡଗ୍ ବିବେଚିତ କପିଳ ଡେଭିଲ୍ସ ଲର୍ଡସ ଫାଇନାଲ୍ରେ ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍କୁ ହରାଇ ବିଶ୍ବ ମୁକୁଟ ଜିତିବା ପରେ ଭାରତ ସହିତ ଏସିଆରେ କ୍ରିକେଟ୍ ବିପ୍ଳବର ସୂତ୍ରପାତ ହୋଇଥିଲା। ସେବେଠାରୁ ଭାରତରେ କ୍ରିକେଟ୍ ଆଉ ଗୋଟିଏ ଖେଳରେ ସୀମିତ ହୋଇ ରହିନାହିଁ। ଏକ ଅବିଛେଦ୍ୟ ଧର୍ମରେ ପରିଣତ ହୋଇଯାଇଛି। ଲର୍ଡସ ଫାଇନାଲ୍ରେ ଦୁଇ ଥର ବିଜେତା କ୍ଲାଇବ୍ ଲୟଡ୍ଙ୍କ ଦଳକୁ ୪୩ ରନ୍ରେ ପରାସ୍ତ କରିବା ଅବସରରେ ଅନେକ ସ୍ମରଣୀୟ ମୁହୂର୍ତ୍ତକୁ ସାଉଁଟିଥିଲା।
ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କପିଳ ଦେବଙ୍କ ଦଳକୁ କେହି ବି ଦାବିଦାର ଭାବେ ଉପସ୍ଥାପନ କରିନଥିଲେ। ପୂର୍ବ ଦୁଇ ସଂସ୍କରଣରେ ଭାରତ ବିଜୟର ଖାତା ଖୋଲି ନପାରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ବେଳେ ସେଥର କପିଳ ଡେଭିଲ୍ସ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଦଳଗତ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍କୁ ଦୁଇ ଥର ହରାଇବା ସହ ବିଶ୍ବ ବିଜେତା ହୋଇଥିଲା। ଏହି ବିଜୟ ପରଠାରୁ ଭାରତୀୟ କ୍ରିକେଟ୍ରେ ବୈପ୍ଳବିକ ପରିବର୍ତନ ଘଟିଥିଲା। ଏକ ସାଧାରଣ ଖେଳ ଦେଶବାସୀଙ୍କ ଭିତରେ ଏତେ ଲୋକପ୍ରିୟ ହୋଇଯାଇଥିଲା ସେ ଏବେ ଭାରତରେ କ୍ରିକେଟ୍ ଧର୍ମରେ ପରିଣତ ହୋଇଛି। କ୍ରିକେଟ୍ ଖେଳାଳି ଈଶ୍ବରଙ୍କ ଭଳି ଆବିର୍ଭାବ ହେଉଛନ୍ତି।
ଭଲ ଆରମ୍ଭ
ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ହିଁ ଭାରତ ଭେଟିଥିଲା ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍କୁ। ଦୁଇ ଥର ବିଜେତା ଭାବେ ୱେଷ୍ଟଇଣ୍ଡିଜ୍ ଦୃଢ଼ ବାଦିଦାର ଥିଲା, ପ୍ରତି ବିଭାଗରେ ମଧ୍ୟ କ୍ବାଲିଟି ଖେଳାଳି ଥିଲେ। ଭିଭିଆନ୍ ରିଚାର୍ଡସ, କ୍ଲାଇବ୍ ଲୟଡଙ୍କୁ ନେଇ ବ୍ୟାଟିଂ ଯେତିକି ଦୃଢ଼ ଥିଲା ମାଇକେଲ୍ ହୋଲଡିଂ, ଆଣ୍ଡି ରବର୍ଟସ, ମାଲକମ୍ ମାର୍ଶାଲ, ଜୋଏଲ୍ ଗାର୍ଡନରଙ୍କୁ ନେଇ ଭୟଙ୍କର ପେସ୍ ବାହିନୀ ସେତିକି ବିପଜ୍ଜନକ ଥିଲା। ଭାରତ ସଙ୍କଳ୍ପବଦ୍ଧ ପ୍ରଦର୍ଶନ ଦେଇ ଯଶପାଲ୍ ଶର୍ମାଙ୍କ ୮୯ ରନ୍ ବଳରେ ୨୬୨ ରନ୍ କରିଥିଲା। ଏହା ସେତେବେଳେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ମଧ୍ୟ ଥିଲା। ପଶ୍ଚାତଧାବନରେ କ୍ଲାଇବ୍ ଲୟଡଙ୍କ ଦଳ କିନ୍ତୁ ପାରିନଥିଲା। ଭାରତ ୩୪ ରନ୍ ବିଜୟ ସହିତ ବିଶ୍ବକପ୍ ଇତିହାସରେ ସର୍ବପ୍ରଥମ ବିଜୟ ସ୍ବାଦ ପାଇଥିଲା।
ଶ୍ରେଷ୍ଠ ୱିକେଟ୍ରକ୍ଷଣ
ଜିମ୍ବାୱେ ବିପକ୍ଷରେ ଭାରତ ଖେଳିଥିଲା ଦ୍ବିତୀୟ ମ୍ୟାଚ୍। ୱିକେଟରକ୍ଷକ ସୟଦ କିର୍ମାନିଙ୍କ ଭୂମିକା ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ଗୋଟିଏ ମ୍ୟାଚ୍ରେ ୩୪ ବର୍ଷୀୟ କିର୍ମାନି ନେଇଥିଲେ ୫ଟି କ୍ୟାଚ୍। ଏହା ସେତେବେଳେ ଏକ ବିଶ୍ବକପ୍ ମ୍ୟାଚ୍ରେ ମଧ୍ୟ ରେକର୍ଡ ପ୍ରତିଷ୍ଠା କରିଥିଲା। ଜିମ୍ବାୱେକୁ ୧୫୫ ରନ୍ରେ ରୋକିବା ପରେ ଭାରତ ୫ ୱିକେଟ୍ରେ ଜିତି କ୍ରମାଗତ ଦ୍ବିତୀୟ ବିଜୟ ପାଇଥିଲା। ବୋଲିଂ ବେଳେ ଚମତ୍କାର ପ୍ରଦର୍ଶନ କରିଥିବା ମଦନ ଲାଲ୍ (୧୦.୪-୦-୨୭-୩) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପଶ୍ଚାତଧାବନ ବେଳେ ସନ୍ଦୀପ ପାଟିଲ (୫୦) ଅର୍ଦ୍ଧଶତକ ହାସଲ କରିଥିଲେ।
କପିଳଙ୍କ ଅବିଶ୍ବସନୀୟ ୧୭୫*
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ମୁକାବିଲାରେ ଭାରତ ହାରିଯାଇଥିଲା। ଭିଭିଆନ୍ ରିଚାର୍ଡସଙ୍କ ଶତକ (୧୧୯) ବଳରେ ଇଣ୍ଡିଜ୍ ୨୮୨ ରନ୍ କରିବା ପରେ ମହିନ୍ଦର ଅମରନାଥଙ୍କ ୮୦ ରନ୍ ସତ୍ତ୍ବେ ଭାରତ ୨୧୬ ରନ୍ କରିଥିଲା। ପରବର୍ତୀ ମ୍ୟାଚ୍ରେ ଭାରତ ଜିମ୍ବାୱେଠାରୁ ମଧ୍ୟ ପରାଜୟ ସ୍ଥିତିରେ ପହଞ୍ଚିଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭/୫ରେ ସଂଘର୍ଷ କରୁଥିବା ବେଳେ ଅଧିନାୟକ କପିଳ ଦେବ ଖେଳିଥିଲେ ଅବିସ୍ମରଣୀୟ ପାଳି। ୧୭୫* ରନ୍ର ଅବିଶ୍ବସନୀୟ ପାଳି (୧୩୮ ବଲ୍, ୧୬ ଚୌକା, ୬ ଛକା) ଖେଳି ଦଳକୁ ଭାରତକୁ ୨୬୬/୬ରେ ପହଞ୍ଚାଇ ଦେଇଥିଲେ। ରୋଜର ବିନ୍ନି (୨୪*), ସୟଦ କିର୍ମାନି (୨୨), ମଦନ ଲାଲ (୧୭)ଙ୍କୁ ସାଥୀ କରି କପିଳ ଏହି ସ୍କୋର୍ ଆଣିପାରିଥିଲେ। ଜବାବରେ ଜିମ୍ବାୱେ ୨୩୫ ରନ୍ କରିପାରିଥିଲା।
କଙ୍ଗାରୁ ଶିକାର
ପ୍ରୁଡେନ୍ସିଆଲ୍ ବିଶ୍ବକପ୍ ଅବସରରେ ଭାରତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ଭେଟରେ କପିଳ ଦେବଙ୍କ ୫ ୱିକେଟ୍ ସତ୍ତ୍ବେ ଭାରତ ହାରିଯାଇଥିଲା। କିନ୍ତୁ ଦ୍ବିତୀୟ ଭେଟରେ ମଦନ ଲାଲ ଓ ରୋଜର ବିନ୍ନି ୪-୪ ୱିକେଟ୍ ଦଖଲ କରିବାରୁ ଭାରତ ୧୧୮ ରନ୍ର ବଡ଼ ବିଜୟ ପାଇଥିଲା। ବଲବିନ୍ଦର ସିଂହ ସାନ୍ଧୁ ଅବଶିଷ୍ଟ ୨ ୱିକେଟ୍ ନେଇ ଭାରତକୁ ସେମିଫାଇନାଲ୍ରେ ପହଞ୍ଚାଇବାରେ ବଡ଼ ଭୂମିକା ତୁଲାଇଥିଲେ।
ଅମରନାଥ ଡବଲ୍ ସୋ’
ଭାରତୀୟ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର୍ ଭାବେ ମହିନ୍ଦର ଅମରନାଥଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ରହିଛି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରେ ପ୍ରଥମ ଖେଳାଳି ଭାବେ ବିଶ୍ବକପ୍ର ସେମିଫାଇନାଲ୍ ଓ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହାର ୧୩ ବର୍ଷ ପରେ ୧୯୯୬ ବିଶ୍ବକପ୍ରେ ଶ୍ରୀଲଙ୍କାର ଅରବିନ୍ଦ ଡି’ ସିଲ୍ଭା ଏଭଳି ଯୁଗଳ ସଫଳତା ପାଇଥିଲେ। ଭାରତ ବିପକ୍ଷ ସେମିଫାଇନାଲ୍ରେ ଘରୋଇ ଇଂଲଣ୍ଡ ୧୪୧/୩ ସ୍ଥିତିରେ ଥାଇ ବଡ଼ ସ୍କୋର୍ ଆଡ଼କୁ ଯାଉଥିଲା। ଅମରନାଥଙ୍କ ବିପଜ୍ଜନକ ନୂଆ ସ୍ପେଲ୍ କାରଣରୁ ଇଂଲିସ୍ ଦଳ ଏହାର ଶେଷ ୭ ୱିକେଟ୍କୁ ୭୨ ରନ୍ରେ ହରାଇ ଦେଇଥିଲା। ପଶ୍ଚାତଧାବନ ବେଳେ ଅମରନାଥ (୪୬) ୪ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଯଶପାଲ୍ ଶର୍ମା (୬୧) ଏବଂ ସନ୍ଦୀପ ପାଟିଲ୍ (୫୧*) ବିଜୟୀ କରାଇଥିଲେ। ଫାଇନାଲ୍ରେ ସେ ୨୬ ରନ୍ କରିବା ସହ ୩ ୱିକେଟ୍ ଦଖଲ କରି ମଧ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
କପିଳଙ୍କ କ୍ୟାଚ୍
ଲର୍ଡସ ଫାଇନାଲ୍ରେ ଭାରତର ପାଳି ମାମୁଲି ସ୍କୋର୍ ୧୮୩ରେ ସୀମିତ ରହିଯାଇଥିଲା। ୱେଷ୍ଟଇଣ୍ଡିଜ୍ ନିଜର ହ୍ୟାଟ୍ରିକ୍ ବିଶ୍ବକପ୍ ବିଜୟ ଆଡ଼କୁ ଅଗ୍ରସର ମଧ୍ୟ ହେଉଥିଲା। ଆତ୍ମବିଶ୍ବାସରେ ଥିବା ଭିଭିଆନ୍ ରିଚାର୍ଡସ ୨୭ ବଲରୁ ୩୩ ରନ୍ କରିଥିବା ବେଳେ ଅନ୍ ସାଇଡରେ ଏକ ଏରିଏଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ। ବଲ୍ ଆକାଶଛୁଆଁ ହୋଇଯାଇଥିଲା। କପିଳ ଦେବ ମିଡ୍ ୱିକେଟ୍ ଅଞ୍ଚଳରୁ ପଛୁଆ ବାଉଣ୍ଡରି ପାଖାପାଖି ଦୌଡ଼ି ନେଇଥିଲେ କ୍ୟାଚ୍। ଏହି କ୍ୟାଚ୍ କେବଳ ବିଶ୍ବକପ୍ ଫାଇନାଲ୍ର ନୁହେଁ ଦେଶରେ କ୍ରିକେଟ୍ର ଭାଗ୍ୟରେ ବଡ଼ ପରିବର୍ତନ କରି ଦେଇଥିଲା। ୫୦/୧ ସ୍ଥିତିରୁ ଆସି ୱେଷ୍ଟଇଣ୍ଡିଜ୍ ୧୪୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅମରନାଥ-ମଦନ ଲାଲ୍ ୩-୩ ଏବଂ ବଲବିନ୍ଦର ସାନ୍ଧୁ ୨ ୱିକେଟ୍ ଅକ୍ତିଆର କରିଥିବା ବେଳେ କପିଳ-ବିନ୍ନି ୧-୧ ୱିକେଟ୍ ଦଖଲ କରି ଦଳଗତ ପ୍ରଦର୍ଶନ ବଳରେ ଭାରତ ବିଶ୍ବ ବିଜୟର ଟୀକା ପାଇଥିଲା।
ମୋ ଜୀବନକୁ ବଦଳାଇ ଦେଇଥିଲା
‘‘୧୯୮୩ ମସିହା ବିଶ୍ବକପ୍ ଫାଇନାଲ୍ ମୋ ଜୀବନକୁ ବଦଳାଇ ଦେଇଥିଲା। ଛୋଟ ପିଲା ଭାବେ ଲର୍ଡସ ଫାଇନାଲ୍କୁ ମୁଁ ଦେଖିଥିଲି। ଏହା ମୋତେ ବିଶେଷ ଭାବେ ପ୍ରବର୍ତାଇଥିଲା। ସେ ପର୍ଯ୍ୟନ୍ତ କ୍ରିକେଟ୍ ମଜା ପାଇଁ ଖେଳୁଥିଲି, ଏହା ପରଠାରୁ ମୁଁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଖେଳିଥିଲି। ୨୦୧୧ ବିଶ୍ବକପ୍ ବିଜୟ ତୋଳି ଧରିବା ମୋ ପାଇଁ ଦ୍ବିତୀୟ ଶ୍ରେଷ୍ଠ ସ୍ମରଣୀୟ ମୁହୂର୍ତ୍ତ ହୋଇରହିବ।’’
ସଚିନ ତେନ୍ଦୁଲକର