ମୁମ୍ବାଇରେ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ: ଆଦର୍ଶ ବିଧାୟକ ଭାବେ ସମ୍ମାନିତ ହେଲେ ମକରନ୍ଦ ମୁଦୁଲି

ରାୟଗଡା: ସରକାରୀ ଏମଆଇଟି ସ୍କୁଲ ଦ୍ଵାରା ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନିତ ହୋଇଛନ୍ତି। ଗତ ଜୁନ ୧୫-୧୭ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଚାଲିଥିବା ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୧୭୦୦ରୁ ଊର୍ଦ୍ଧ ବିଧାୟକ ଓ ବିଧାନ ପରିଷଦର ସଦସ୍ୟ, ୧୦୦ରୁ ଊର୍ଦ୍ଧ୍ବ ପ୍ରମୁଖ ନେତା, ୫୦୦ରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ ଏବଂ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ। ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ସୁମିତ୍ରା ମହାଜନ, ଶିବରାଜ ପାଟିଲ, ମନୋହର ଯୋଶୀ ଏହାର ପେଟ୍ରନ ଭାବରେ ସମସ୍ତ ବିଧାୟକ ଓ ବିଧାନ ପରିଷଦର ସଦସ୍ୟଙ୍କୁ ଚିଠି ଲେଖି ନିମନ୍ତ୍ରଣ କରାଯାଇଥିଲା।

ଏହି ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଓମ୍ ବିରଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଗୋଆର ମୁଖ୍ୟମନ୍ତ୍ରୀ ଡ ପ୍ରମୋଦ ସାୱନ୍ତ, ରାଜ୍ୟସଭାର ଡେପୁଟି ଚେୟାରମେନ ହରିବଂଶ ନାରାୟଣ ସିଂ, ସମସ୍ତ ରାଜ୍ୟର ବିଧାନସଭାର ବାଚସ୍ପତି, ଉପବାଚସ୍ପତି, ସିପିଏମ୍ ପାର୍ଟିର ବୃନ୍ଦା କରାଟ, କଂଗ୍ରେସର ସଞ୍ଜୟ ନିରୁପମ୍, ଟିପରା ମୋଠା ପାର୍ଟିର ମୁଖ୍ୟ ପ୍ରଦ୍ୟୋତ୍ ବିକ୍ରମ୍ ଦେବ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ସମସ୍ୟା ନେଇ ଆଲୋଚନା ଏବଂ ୨୦୪୭ରେ ଭାରତ କିପରି ହେବ ତାହା ଉପରେ ଆଲୋଚନା ତର୍କ ବିତର୍କ ହୋଇଥିଲା।

ଏହି ସମ୍ମିଳନୀରେ ଦେଶର ୭୫ ଜଣ ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆଦର୍ଶ ବିଧାୟକ ରୁପେ ଘୋଷଣା କରାଗଲା। ଓଡ଼ିଶାରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪ ଜଣ ବିଧାୟକ ଆଦର୍ଶ ବିଧାୟକ ଭାବରେ ସ୍ଥାନ ପାଇଥିଲେ। ଏଥିରେ ରାୟଗଡ଼ାର ମକରନ୍ଦ ମୁଦୁଲି, ବରୀର ସୁନନ୍ଦା ଦାସ, ସାରସକଣାର ବୁଧାନ୍ ମୁର୍ମୁ ଓ ବଣାଇର ଲକ୍ଷ୍ମଣ ମୁଣ୍ଡା ସାମିଲ ଥିଲେ। ଆଦର୍ଶ ବିଧାୟକଙ୍କ ମଧ୍ୟରୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଉନ୍ନତି ପାଇଁ ବିଧାୟକ ମକରନ୍ଦ ମୁଦୁଲି ସ୍ଥାନ ପାଇ ରାୟଗଡାବାସୀଙ୍କୁ ଗୌରବାନିତ୍ୱ କରିଛନ୍ତି। ଏହି ସମ୍ମିଳନୀରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଅଂଶ ଗ୍ରହଣ କରି ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଜ୍ଞାନ, ବିଜ୍ଞାନ, ନାରୀ ଓ ସମ୍ମାନ ସହ ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପ୍ରଦାନ କରି ଗ୍ରାମାଞ୍ଚଳର ଉନ୍ନତି ହେଲେ ହିଁ ଦେଶର ଉନ୍ନତି ହେବ ବୋଲି ସମ୍ମିଳନୀରେ ତାଙ୍କର ଅଭିଭାଷଣରେ ଆଲୋକପାତ୍ କରିଥିଲେ। ବିଧାୟକ ଶ୍ରୀ ମୁଦୁଲି ଦେଶର ବିଭିନ୍ନ ଦଳର ପ୍ରମୁଖ ନେତାମାନଙ୍କ ସହ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ସେମାନଙ୍କୁ ରାୟଗଡ଼ା ଆସିବାକୁ ନିମନ୍ତ୍ରଣ କରିଥିଲେ।

Leave A Reply

Your email address will not be published.