ମସ୍କୋ: ୭୨ ଘଣ୍ଟାର ହଟଚମଟ ପରେ ଶାନ୍ତ ପଡିଛି ରୁଷ । ବିଦ୍ରୋହୀ ସେନା ୱାଗନର ମସ୍କୋ ମୁହାଁ ହେଉଥିବାବେଳେ ହଠାତ ଓହରିଯାଇଛି । ଯାହାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ପ୍ରଶ୍ନ ଉଠୁଛି ଯେଉଁ ଭାବେ ୱାଗନର ମସ୍କୋ ମୁହାଁ ହେଉଥିଲା ହଠାତ କାହିଁକି ଓହରିଗଲା? ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ଉଭୟ ପୁଟିନ ଓ ୱାଗନର ସେନା ମୁଖ୍ୟ କ’ଣ ପାଇଁ ଚୁପ ରହିଛନ୍ତି ? ଏହା ପଛରେ ପୁଟିନଙ୍କ ଭୟ ନା କୌଣସି ରଣନୀତି ରହିଛି?
- ପଛକୁ ହଟିଲା ବିଦ୍ରୋହୀ ସେନା ୱାଗନର
- ରଷିଆ ଉପରୁ ଟଳିଲା ସଙ୍କଟ!
- କିନ୍ତୁ କୁଆଡ଼େ ଗଲେ ରାଷ୍ଟ୍ରପତି ପୁଟିନ?
୭୨ ଘଣ୍ଟାର ହଟଚମଟ । ଏହି ସମୟରେ ବିଦ୍ରୋହ, ଯୁଦ୍ଧ ଆଶଙ୍କା, ଭୟ ଦେଇ ଗତି କରିଥିଲା ରୁଷିଆ । ବିଶ୍ୱସ୍ତ ଘରୋଇ ସେନା ୱାଗନର ୟୁଟର୍ଣ୍ଣ ନେବା ପରେ ରାଷ୍ଟ୍ରପତି ପୁଟିନଙ୍କୁ ମିଳିଛି ଆଶ୍ୱସ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୱାଗନର ସେନ ପଛଘୁଂଚା ଦେବା ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ପୁଟିନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି । ଏପରିକ ସେ ଦେଖାଯାଉନଥିବା ମଧ୍ୟ କୁହାଯାଉଛି । ଏବେ ପ୍ରଶ୍ନ ଉଠୁଛି…
- ଶକ୍ତିଶାଳୀ ରାଷ୍ଟ୍ରନେତା ଗଲେ କୁଆଡେ?
- ୱାଗନର ସେନା ପଛଘୁଞ୍ଚା ଦେବା ପରେ କ’ଣ ପାଇଁ ପୁଟିନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି?
- ଭୟଭୀତ ଅଛନ୍ତି ନାଁ କୌଣସି ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ପୁଟିନ?
ଗୋଟେ ପଟେ ପୁଟିନଙ୍କ ନୀରବତା ଅନ୍ୟପଟେ ୱାଗନର ସେନା ମୁଖ୍ୟ ୱେବଗେନି ପ୍ରିଗୋଝିନଙ୍କ ମଧ୍ୟ ଚୁପ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପୁଟିନ ଓ ପ୍ରିଗୋଝିନଙ୍କ ନୀରବତା ରୁଷ ପାଇଁ କିଛି ଆଶଙ୍କା ସୃଷ୍ଟି କରୁଛି ।
ଚର୍ଚ୍ଚା ହେଉଛି ପୁଟିନ ନିଜ ସୁରକ୍ଷା ପାଇଁ ବଙ୍କରରେ ଲୁଚି ରହିଛନ୍ତି ଓ ଅନ୍ୟପଟେ ପ୍ରିଗୋଝିନ୍ ଦକ୍ଷିଣ ଆଫ୍ରିକା ଚାଲିଯାଇଛନ୍ତି । ସେପଟେ ଘଟଣାକୁ ନେଇ ପଶ୍ଚିମ ଦେଶ କହିଛନ୍ତି ୱାଗନର ସେନା ଓ ପୁଟିନଙ୍କ ମଧ୍ୟରେ ସିକ୍ରେଟ୍ ଡିଲ ହୋଇଛି । ଏହା ତାଙ୍କ ଦୁର୍ବଳତା ଦର୍ଶାଉଛି । ଶକ୍ତିଶାଳୀ ରୁଷ ରାଷ୍ଟ୍ରନେତାଙ୍କ ଛବି ବଦଳିଛି । କ’ଣ ପାଇଁ ପୁଟିନ ସାମ୍ନାକୁ ଆସୁନାହାଁନ୍ତି? କାରଣ ୱାଗନର ସେନାର ଧମକ ପରେ ପ୍ରଥମଥର ପାଇଁ ପୁଟିନ ଭିଡିଓ ଜାରି କରିଥିଲେ ଓ ଏହା ପରଠୁ ତାଙ୍କର କୌଣସି ଖୋଜ ଖବର ନାହିଁ । ଦ୍ରୁତ ଗତିରେ ୱାଗନର ସେନା ମସ୍କୋକୁ ମୁହାଁଉଥିଲେ କିନ୍ତୁ ସେନା ପଛଘୁଞ୍ଚା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରକ୍ତପାତ ଏଡାଇବା ପାଇଁ ପଛକୁ ହଟିଥିବା ୱାଗନର ମୁଖ୍ୟ କହିଥିବାବେଳେ ବେଲାରୁଷର ମଧ୍ୟସ୍ଥତା ଯୋଗୁଁ ସଙ୍କଟ ଟଳିଥିବା କୁହାଯାଉଛି ।